fbpx

ITEP ଯୋଗ୍ୟତା ଆଧାରରେ ହେବ ଶିକ୍ଷକ ନିଯୁକ୍ତି: କାର୍ଯ୍ୟକାରୀ ହେଲା ନୂଆ ଶିକ୍ଷାନୀତି, ଚିହ୍ନଟ ହେଲା ୫୦ଟି ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ବିଏଡ୍ ପାଠ୍ୟକ୍ରମ ୪ ବର୍ଷିଆ ହେବ । ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ କାର୍ଯ୍ୟକ୍ରମ (ଆଇଟିଇପି) ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ୍, ବିଏସି ବିଏଡ୍ ଓ ବିକମ୍ ବିଏଡ୍ ପାଠ୍ୟମ୍ରରେ ୪ ବର୍ଷ ଧରି ଶିକ୍ଷା ପ୍ରଦାନ କରାଯିବ । ଯୁକ୍ତ ଦୁଇ ପାସ୍ କଲା ପରେ ଛାତ୍ରଛାତ୍ରୀ ସିଧାସଳଖ ଉକ୍ତ ପାଠ୍ୟକ୍ରମରେ ଆଡମିଶନ କରିପାରିବେ । ଜାତୀୟ ଶିକ୍ଷା ନୀତି-୨୦୨୦କୁ ଭିତ୍ତିକରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ।

ନୂଆ ଶିକ୍ଷାନୀତି ଅନୁଯାୟୀ, ଆଗକୁ ଶିକ୍ଷକ ନିଯୁକ୍ତି କେବଳ ଆଇଟିଇପି ଯୋଗ୍ୟତା ଆଧାରରେ ହେବ । ତେଣୁ ତାକୁ ନଜରରେ ରଖି ପାଇଲଟ୍ ପ୍ରୋଜେକ୍ଟ ଭାବେ ୨୦୨୨-୨୩ ଶିକ୍ଷାବର୍ଷରୁ ଦେଶର ପ୍ରାୟ ୫୦ଟି ବହୁମୁଖୀ ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମର ପ୍ରଚଳନ କରାଯିବ । ଶିକ୍ଷା ମନ୍ତ୍ରଣାଳୟର ଅଧୀନରେ ଥିବା ନ୍ୟାସନାଲ କାଉନସିଲ ଫର୍ ଟିଚର ଏଜୁକେସନ (ଏନସିଟିଇ) ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିବ । ଛାତ୍ରଛାତ୍ରୀ ଶିକ୍ଷକତା କ୍ଷେତ୍ରରେ ଡିଗ୍ରୀ ହାସଲ କରିବା ସହ ଇତିହାସ, ଗଣିତ, କଳା, ବିଜ୍ଞାନ, ଅର୍ଥନୀତି, ବାଣିଜ୍ୟ ପରି ବିଷୟରେ ଶିକ୍ଷା ପାଇପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରେ ଶିକ୍ଷାଦାନକୁ ବୃତ୍ତିଭାବେ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ପିଲାମାନେ ଆଇଟିଇପି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିପାରିବେ । ଏହି ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ଦ୍ୱାରା ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଛାତ୍ରଛାତ୍ରୀମାନେ ପୂର୍ବରୁ ଥିବା ୫ ବର୍ଷିଆ ବିଏଡ୍ ପରିବର୍ତ୍ତେ ଏଣିକି ୪ ବର୍ଷରେ ସମାପ୍ତ କରିପାରିବେ । ଆଇଟିଇପିରେ ଚାରି ବର୍ଷିଆ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ଜାତୀୟ ସାଧାରଣ ପ୍ରବେଶିକା ପରୀକ୍ଷା (ଏନସିଇଟି) କରାଯିବ । ବହୁମୁଖୀ ଶିକ୍ଷାନୁଷ୍ଠାନ ଦ୍ୱାରା ଏହି ଶିକ୍ଷା ପ୍ରଦାନ କରାଯିବ ଓ ବିଦ୍ୟାଳୟ ଶିକ୍ଷକଙ୍କ ପାଇଁ ସର୍ବନିମ୍ନ ଡିଗ୍ରୀ ଯୋଗ୍ୟତା ଭାବେ ପରିଗଣିତ ହେବ । ସମଗ୍ର ଶିକ୍ଷା କ୍ଷେତ୍ରକୁ ଏହା ପୁନରୁଥାନ କରିବାରେ ସହାୟକ ହେବ ବୋଲି ଶିକ୍ଷାବିତମାନେ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.