ଟି-୨୦ରେ ଇତିହାସ ରଚିଲେ ରଶିଦ ଖାନ, ଭାଙ୍ଗିଲେ ଲସିଥ ମାଲିଙ୍ଗାଙ୍କ ରେକର୍ଡ

ନୂଆଦିଲ୍ଲୀ : ରଶିଦ ଖାନ ଶୁକ୍ରବାର ଟି-୨୦ ବିଶ୍ୱ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଇତିହାସ ରଚିଛନ୍ତି । ତାଙ୍କ ଦଳ ଆଫଗାନିସ୍ତାନ ସୁପର ୧୨ ରାଉଣ୍ଡରେ ପାକିସ୍ତାନ ନିକଟରୁ ହାରିଥିଲେ ମଧ୍ୟ ରଶିଦ ଟି-୨୦ ଅନ୍ତର୍ଜାତୀୟରେ ରେକର୍ଡ କରିଛନ୍ତି। ରଶିଦ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୧୦୦ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି ।

୨୩ ବର୍ଷୀୟ ରଶିଦ ନିଜର ୫୩ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏଥିସହ ସେ ଏହି ଫର୍ମାଟର ଦ୍ରୁତତମ ୧୦୦ ୱିକେଟ୍ ନେଇଥିବା ଶ୍ରୀଲଙ୍କାର ଦିଗଜ ବୋଲର ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଛନ୍ତି । ମାଲିଙ୍ଗା ୭୬ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ । ବାଂଲାଦେଶ ସାକିବ ଅଲ ହସନ ଓ ନ୍ୟୁଜିଲାଣ୍ଡର ଟିମ୍ ସାଉଦି ୮୪ତମ ମୁକାବିଲାରେ ଏହି ସଫଳତା ହାସଲକ କରିଥିଲେ । ହେଲେ ରଶିଦ ମାତ୍ର ୫୩ ମ୍ୟାଚରୁ ୧୦୦ ୱିକେଟ୍ ନେଇ ରେକର୍ଡ କରିଛନ୍ତି ।

ରଶିଦ ପାକିସ୍ତାନ ଇନିଂସର ୧୫ତମ ଓଭରର ପ୍ରଥମ ବଲରେ ମହମ୍ମଦ ହାଫିଜ(୧୦)ଙ୍କୁ ଆଉଟ୍ କରିଥିଲେ । ଏହା ପରେ ଅଧିନାୟକ ବାବର ଆଜମଙ୍କୁ କ୍ଲିନ ବୋଲ୍ଡ କରିଥିଲେ । ଏଥିସହ ନିଜର ୱିକେଟ୍ ସଂଖ୍ୟା ୧୦୧ରେ ପହଞ୍ଚାଇଥିଲେ । ୫୩ଟି ମ୍ୟାଚରୁ ୧୦୧ ୱିକେଟ୍ ନେଇଥିବା ରଶିଦ ୨ ଥର ୫ ୱିକେଟ୍ ଏବଂ ୪ ଥର ୪ ୱିକେଟ୍ ହାସଲ କରିଛନ୍ତି ।

ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ଆଫଗାନିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଆଫଗାନିସ୍ତାନ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୭ ରନ କରିଥିଲା । ଜବାବରେ ପାକିସ୍ତାନ ୧୯ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପାକିସ୍ତାନର ଅଧିନାୟକ ବାବର ଆଜମ ସର୍ବାଧିକ ୫୧ ରନ କରିଥିଲେ ।