fbpx

ପଦ୍ମଶ୍ରୀ ଆଓ୍ଵାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ ଧାରଣାରେ ବସିଲେ ‘ପହିଲମାନ’

ନୂଆଦିଲ୍ଲୀ : ମୁକ ପହିଲମାନ ନାମରେ ପ୍ରସିଦ୍ଧ ହରିୟାଣାର ବୀରେନ୍ଦ୍ର ସିଂହଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ଚତୁର୍ଥ ବଡ ପୁରସ୍କାର ପାଇ ମଧ୍ୟ ପହିଲମାନ ବୀରେନ୍ଦ୍ର ସିଂହ ଖୁସି ନାହାନ୍ତି ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କଠାରେ ଦାବି ରଖିଛନ୍ତି। ବୀରେନ୍ଦ୍ର ସିଂହ ରାଜ୍ୟରେ ତାଙ୍କ ପରି ମୂକ ଏବଂ ବଧିର ପାରା ଖେଳାଳିଙ୍କୁ ସମ୍ମାନର ଅଧିକାର ଦେବାକୁ ଦାବି କରିଛନ୍ତି।
ହରିୟାଣାର ଝଜ୍ଜର ଜିଲ୍ଲାର ନିବାସୀ ବୀରେନ୍ଦ୍ର ସିଂହ ଶୁଣି ପାରନ୍ତି ନାହିଁ ଏବଂ କହି ପାରନ୍ତି ନାହିଁ। ସେ ବୁଧବାର ଟ୍ଵିଟରରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ, ନିଜର ପଦ୍ମଶ୍ରୀ, ଅର୍ଜୁନ ଆଓ୍ଵାର୍ଡ ଏବଂ ବାକି ଅନ୍ୟ ଅନ୍ତର୍ଜାତୀୟ ମେଡାଲ ସହ ହରିୟାଣା ଭବନ ବାହାରେ ଫୁଟପାଥରେ ବସିଛନ୍ତି। ସେ ଲେଖିଛନ୍ତି, ମାନନୀୟ ମୁଖ୍ୟମନ୍ତ୍ରୀ ଏମଏଲ ଖଟ୍ଟର, ମୁଁ ଦିଲ୍ଲୀରେ ହରିୟାଣା ଭବନରେ ଆପଣଙ୍କ ବାସଭବନର ଫୁଟଫାଥରେ ବସିଛି। ମୁଁ ଏଠାରୁ ସେ ପର୍ଯ୍ୟନ୍ତ ହଲିବି ନାହିଁ ଯେ ପର୍ଯ୍ୟନ୍ତ ଆପଣ ମୂକ ବଧିର ପରି ପାରା ଖେଳାଳିଙ୍କୁ ସମ୍ମାନର ଅଧିକାର ଦେଇ ନାହାନ୍ତି। ଯଦି କେନ୍ଦ୍ର ସରକାର ଆମକୁ ସମ୍ମାନର ଅଧିକାର ଦେଉଛନ୍ତି ତେବେ ଆପଣ କଣ ପାଇଁ ଦେବେ ନାହିଁ ?
ଏହା ପୂର୍ବରୁ ପଦ୍ମଶ୍ରୀ ଆଓ୍ଵାର୍ଡ ମିଳିବା ପରେ ବୀରେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଫଟୋ ମଧ୍ୟ ସେୟାର କରିଥିଲେ। ମୂକ ପହିଲମାନ ୭୪ କିଗ୍ରା ବର୍ଗରେ ତିନୋଟି ସ୍ଵର୍ଣ୍ଣ ପଦକ ଏବଂ ଗୋଟିଏ କାଂସ୍ୟ ପଦକ ଜିତି ସାରିଛନ୍ତି। ବୀରେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ଯଦି ଆପଣ ମୋତେ ପାରା ଆଥଲେଟ୍ ମାନୁଛନ୍ତି ତେବେ ଆପଣ ପାରା ଆଥଲେଟର ଥିବା ସମସ୍ତ ଅଧିକାର ମୋତେ କାହିଁକି ଦେଉ ନାହାନ୍ତି। ଗତ ଚାରି ବର୍ଷ ଧରି ମୋତେ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡିଛି। ମୁଁ ଆଜି ମଧ୍ୟ ଜୁନିୟର କୋଚ୍ ଏବଂ ମୋତେ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ପୁରସ୍କାର ମିଳିନାହିଁ। ଗତକାଲି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏହି ବିଷୟରେ କଥା ହୋଇଥିଲି। ଏବେ ନିଷ୍ପତ୍ତି ଆପଣଙ୍କ ହାତରେ ବୋଲି ବୀରେନ୍ଦ୍ର କହିଛନ୍ତି।

Get real time updates directly on you device, subscribe now.