fbpx

ଟି-ଟେଣ୍ଟି ବିଶ୍ବକପ୍: ଫାଇନାଲରେ ସ୍ଥାନ ପକ୍କା କଲା ଅଷ୍ଟ୍ରେଲିଆ, ଅଧୁରା ରହିଗଲା ପାକିସ୍ତାନର ସ୍ୱପ୍ନ

ଦୁବାଇ: ଚଳିତ ଟି-ଟେଣ୍ଟି ବିଶ୍ବକପ୍ ଫାଇନାଲ୍‌ରୁ ବିଦା ହେଲା ପାକିସ୍ତାନ। ଏହି ମ୍ୟାଚ୍‌ରେ କାମ ଦେଲାନି ମହମ୍ମଦ ରିଜୱାନ ଓ ଫଖାର ଜମାନଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ରନ୍। ୧୯ ଓଭର ୫ ୱିକେଟ୍‌ରେ ଅଷ୍ଟ୍ରେଲିଆ ୧୭୬ ରନ୍ ଟାର୍ଗେଟ୍‌କୁ ଅତିକ୍ରମ କରି ପାକିସ୍ତାକୁ ପରାସ୍ତ କରିଛି। ୧୧ ବର୍ଷ ପରେ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଆସନ୍ତା ୧୪ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟାଇଟଲ ଲଢ଼େଇ ହେବ।

ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ଓ ମହମ୍ମଦ ରିଜୱାନ ବିସ୍ଫୋରକ ବ୍ୟାଟିଂ କରି ୯.୫ ଓଭରରେ ୭୧ ରନ୍‌ ସଂଗ୍ରହ କରିଥିଲେ । ବାବର ୩୪ଟି ବଲ୍‌ରୁ ୫ଚୌକା ବଳରେ ୩୯ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଫଖାର ଜମାନ ଅପରାଜିତ ରିଜୱାନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରିଜୱାନଙ୍କୁ ଅଟକାଇବା କଷ୍ଟକର ମନେ ହୋଇଥିଲା । ଦ୍ୱିତୀୟ ୱିକେଟ୍‌ରେ ଉଭୟ ୭୨ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୧୪୩ ବେଳେ ବ୍ୟକ୍ତିଗତ ୬୭(୩ଚୌକା, ୪ଛକା) ରନ୍‌ କରି ରିଜୱାନ ଆଉଟ୍‌ ହୋଇଥିଲେ । ସଙ୍ଗେ ସଙ୍ଗେ ଦଳ ଆଉ ୨ଟି ୱିକେଟ୍‌ ହରାଇଥିଲା । ଆସିଫ ଅଲି ଖାତା ଖୋଲିପାରି ନଥିବାବେଳେ ସୋହେବ ମଲିକ ୧ ରନ୍‌ କରି ଆଉଟ୍‌ ହୋଇଥିଲେ । ଜମାନ ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ପୂରଣ କରିବା ସହ ଦଳୀୟ ସ୍କୋରକୁ ୧୭୬ରେ ପହଞ୍ଚାଇଥିଲେ । ସେ ୩୨ଟି ବଲ୍‌ରୁ ୩ଚୌକା ଓ ୪ଛକା ବଳରେ ୫୫ ରନ୍‌ କରିଥିଲେ । ୧୭୭ରନ୍‌ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ଓପନର ଆରୋନ ଫିଞ୍ଚ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ମିଚେଲ ମାର୍ଶ ଅପରାଜିତ ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ୫୧ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ମାର୍ଶ ୨୮ ରନ୍‌ କରିଥିବାବେଳେ ଶଦାବ ଖାନଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ପରେ ପରେ ଷ୍ଟିଭେନ ସ୍ମିଥ୍‌ ୫ ରନ୍‌ କରି ପାଭିଲିୟନ ଫେରିଥିଲେ । ୱାର୍ଣ୍ଣର ଗୋଟିଏ ପଟେ ଆକ୍ରମଣ ଜାରି ରଖି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ୩୦ଟି ବଲ୍‌ରୁ ୪୯(୩ଚୌକା, ୩ଛକା) ରନ୍‌ କରିଥିବାବେଳେ ୱାର୍ଣ୍ଣର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶିକାର ହୋଇଥିଲେ । ପରେ ପରେ ଗ୍ଲେନ ମ୍ୟାକ୍ସୱେଲ୍‌ (୭) ଆଉଟ୍‌ ହେବା ସହ ପାକିସ୍ତାନର ବିଜୟ ଆଶା ଉଜ୍ଜ୍ୱଳ ହୋଇଥିଲା । ୯୬ ରନ୍‌ ସୁଦ୍ଧା ଅଷ୍ଟ୍ରେଲିଆ ୫ଟି ୱିକେଟ୍‌ ହରାଇ ସାରିଥିଲା । ୪୬ଟି ବଲ୍‌ରେ ବିଜୟ ପାଇଁ ୮୧ ରନ୍‌ ଆବଶ୍ୟକ କରୁଥିଲା । ମାର୍କସ ଷ୍ଟଇନିସ୍‌ ଓ ମାଥ୍ୟୁ ୱେଡ୍‌ ଲଢୁଆ ବ୍ୟାଟିଂ କରି ୧୮ ଓଭର ଶେଷ ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୧୫୫ରେ ପହଞ୍ଚାଇଥିଲେ । । ଶେଷ ୧୨ଟି ବଲ୍‌ରେ ବିଜୟ ପାଇଁ ଆଉ ୨୨ ରନ୍‌ ଆବଶ୍ୟକ ଥିଲା । ସହିନ ଆଫ୍ରିଦି ୧୯ତମ ଓଭର ବୋଲିଂ କରିଥିଲେ । ତୃତୀୟ ବଲ୍‌ରେ ୱେଡ୍‌ଙ୍କୁ ଜୀବନଦାନ ମିଳିଥିଲା । ଏହାପର ୩ଟି ଯାକ ବଲ୍‌ରେ ୱେଡ୍‌ ୩ଟି ଛକା ମାରି ବିଜୟ ଛଡ଼ାଇ ଆଣିଥିଲେ । ସେ ୧୭ଟି ବଲ୍‌ରୁ ଅପରାଜିତ ୪୧ ରନ୍‌ କରିଥିଲେ । ଏହି ଇନିଂସରେ ସେ ୨ଟି ଚୌକା ଓ ୪ଟି ଛକା ମାରିଥିଲେ । ଷ୍ଟଇନିସ୍‌ ୪୦(୨ଚୌକା, ୨ଛକା) ରନ୍‌ କରି ଅପରାଜିତ ରହିଥିଲେ । ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନ ସମସ୍ତ ମ୍ୟାଚ୍‌ ଜିତି ଫାଇନାଲ ଦାବିଦାର ଭାବେ ଉଭା ହୋଇଥିଲା । ମାତ୍ର ଦଳର ସ୍ୱପ୍ନ ଅଧୁରା ରହିଗଲା ।

Get real time updates directly on you device, subscribe now.