fbpx

ଜେଲରେ କଏଦୀଙ୍କ ମଧ୍ୟରେ ହଣାକଟା, ୬୮ ମୃତ; ଭାଇରାଲ୍ ହେଉଛି ରକ୍ତସଂଘର୍ଷର ଭିଡିଓ

ନୂଆଦିଲ୍ଲୀ: ଇକ୍ୱାଡୋର୍ ର ସବୁଠାରୁ ବଡ଼ ଜେଲ୍ ଭିତରେ ଶନିବାର ଦିନ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଛି । କଏଦୀ-କଏଦୀଙ୍କ ମଧ୍ୟରେ ହଣାକଟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ରକ୍ତାକ୍ତ ହିଂସାକାଣ୍ଡରେ ୬୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଯାଇଛି । ତଟବର୍ତ୍ତୀ ସହର ଗ୍ୱାୟାକିଲରେ ଜେଲ ପାଖରେ ରହୁଥିବା ଲୋକମାନେ ଘଣ୍ଟା ଘଣ୍ଟା ଧରି ଲଗାତର ଭାବରେ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ପାଇଥିଲେ । ଖାଲି ସେତିକି ନୁହେଁ ଜେଲ ଭିତରୁ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା ।

ପୋଲିସ୍ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଏହି ଘଟଣାରେ ଅନେକ ସଂଖ୍ୟାରେ କଏଦୀ ଆହତ ହୋଇଛନ୍ତି । ସୁରକ୍ଷାବାହିନୀ ମାନେ ବିପୁଳ ପରିମାଣରେ ଜେଲ ଭିତରୁ ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରିଛନ୍ତି । ତେବେ ଏହି ଭୟଙ୍କର ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସେଥିରେ ଦେଖିବାକୁ ମିଳିଛି ଯେ, କିଛି ଶବ ଜଳିଯାଇଛି ଓ କିଛି ଭୁମି ଉପରେ ପଡ଼ିଛି । ମୋଟ ୬୮ ଜଣ ମୃତ୍ୟୁବରଣ କରିଛନ୍ତି ।

ବାସ୍ତବରେ, ଅକ୍ଟୋବର ମାସରେ ରାଷ୍ଟ୍ରପତି ଗୁଇଲେର୍ମା ଲାସୋଙ୍କ ଦ୍ୱାରା ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ଯାହା ସୁରକ୍ଷା ବାହିନୀକୁ ଡ୍ରଗ୍ କାରବାର ତଥା ଅନ୍ୟାନ୍ୟ ଅପରାଧ ସହ ଲଢ଼ିବା ପାଇଁ କ୍ଷମତା ପ୍ରଦାନ କରିଥିଲେ । ଏହି ଘଟଣା ପରେ ବହୁ ସଂଖ୍ୟାରେ ଅଭିଯୁକ୍ତ ମାନେ ଗିରଫ ହୋଇ ଜେଲ ଯାଇଥିଲେ । ଏହି ହିଂସାତ୍ମକ ଘଟଣା ପଛରେ ଆନ୍ତର୍ଜାତୀୟ ଡ୍ରଗ୍ ଗ୍ୟାଙ୍ଗ ସହ ଜଡିତ ଲୋକଙ୍କୁ ଦାୟୀ କରାଯାଇଛି। ଚଳିତ ବର୍ଷ ଏପର୍ୟ୍ୟନ୍ତ ଇକ୍ୟୁଏଡର କାରାଗାରରେ ୨୩୦ ଜଣଙ୍କର ମୃତ୍ୟୁ ଘଟିଛି।

 

Get real time updates directly on you device, subscribe now.