fbpx

ଚାଷ ଜମିରେ ଲହଡି ଭାଙ୍ଗୁଛି ବର୍ଷାଜଳ, ଫସଲ ଅମଳ ପୂର୍ବରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ଅଦିନିଆ ବର୍ଷା

ଭଞ୍ଜନଗର (ଭାସ୍କର ନ୍ୟୁଜ): ଲଘୁଚାପ ଜନିତ ୨ ଦିନିଆ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଭଞ୍ଜନଗର ତଥା ଏହାର ଆଖାପାଖ ଅଞ୍ଚଳ । ଚାଷଜମିରେ ଲହଡି ଭାଙ୍ଗୁଛି ବର୍ଷାଜଳ । ସୁନାର ଫସଲ ଅମଳ ପୂର୍ବରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ଏହି ଲଗାଣ ବର୍ଷା । ଧାନଜମିରେ ଲହଡି ଭାଙ୍ଗୁଛି ବର୍ଷାଜଳ । ପାଚିଲା ଧାନ ଉପରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି । କେଉଁଠି ଜମିରେ କଟା ହୋଇଥିବା ଧାନ ଉପରେ ଚାଲିଛି ବର୍ଷାଜଳ । ପନିପରିବା ଫସଲର ମଧ୍ୟ ସମାନ ଅବସ୍ଥା । ଏଭଳି ସ୍ଥିତିରେ ଦୁଃଖରେ ଭାଙ୍ଗିଡିଛି ଚାଷୀକୂଳ । ଯଦି ଜମିରେ ଏଭଳି ବର୍ଷାଜଳ ବେଶ କିଛିଦିନ ରହିଯିବ ତେବେ ପାଚିଲା ଧାନ ଜମିରେ ହିଁ ଗଜା ହେବା ସାର ହେବ ।

ଅନ୍ୟପକ୍ଷରେ ଲଗାଣବର୍ଷା କାରଣରୁ ୨ ଦିନ ଧରି ଲୋକମାନେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି । ଦୋକାନ ବଜାର ଖୋଲା ରହିଥିଲେ ମଧ୍ୟ ଏକପ୍ରକାର ଧର୍ମଘଟ ଭଳି ସ୍ଥିତି ରହିଛି । ଲୋକମାନେ କାଁ ଭାଁ ବାହାରକୁ ବାହାରୁଥିବାବେଳେ ବ୍ୟବସାୟ ସଂପୂର୍ଣ୍ଣ ମାନ୍ଦା ରହିଛି । ରବିବାର ସକାଳ ୬ଟାରୁ ସଂଧ୍ୟା ୬ଟା ୧୨ ଘଣ୍ଟା ମଧ୍ୟରେ ଭଞ୍ଜନଗରରେ ୧୧୫ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ସୋରିଷମୂଳି ଠାରେ ୮୭ ମିମି,ମାଧବରିଡା ଠାରେ ୨୧୩ ମିମି, ଖଣ୍ଡରାବଳୀ ଠାରେ ୯୦ ମିମି, ଜାନିବିଲି ଠାରେ୧୬୪ ମିମି, ସୋରଡା ଠାରେ ୧୦୭ ମିମି, ଆସିକା ଠାରେ ୨୦୫ ମିମି, ଡହ ଠାରେ ୧୧୫ ମିମି, ବୁଗୁଡା ବାଘୁଆ ମୋତିଝର ଠାରେ ୭୨ ଓ ଟଭାପଲ୍ଲୀ ଠାରେ ୮୬ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଭଞ୍ଜନଗର ବ୍ଲକର ବିଭିନ୍ନ ଅଂଚଳରେ ଚାଷୀଜମିରେ ଏବେ ବର୍ଷାଜଳ ଲହଡି ଭାଙ୍ଗୁଥିବାବେଳେ ଚାଷୀକୂଳ ହତାସ ହୋଇପଡିଛନ୍ତି ।

ଚଳିତବର୍ଷ ପ୍ରତିକୂଳ ପାଗରେ ଚାଷୀ ତାର ଧାନ ଚାଷ କରିଥିଲା । ପ୍ରଥମତଃ ସ୍ପଳ୍ପ ବୃଷ୍ଟି ଯୋଗୁଁ ପ୍ରଥମେ ଧାନତଳି ତଳି ଘରାରେ ହିଁ ପୋଡି ଯାଇଥିଲା । ପୁଣିଥରେ ଚାଷୀ ଧାନ ତଳି ପକାଇ ତାକୁ ବିଳମ୍ବିତ ସମୟରେ ଧାନ ରୁଆ କାମ ସାରିଥିଲା । ଏବେ ଅମଳ ବେଳକୁ ପୁଣିଥରେ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ସେହିରି ପନିରିବା ଫସଲରେ ମଧ୍ୟ ବର୍ଷାଜଳ ଦାଉ ସାଧିଛି । ଚାଷୀ ନିଜର ଫସଲ ରକ୍ଷା କରିବାକୁ ମୋଟର ପକାଇ ପନିରିବା ଚାଷ ଜମିରୁ ବର୍ଷାଜଳ ନିଷ୍କାସନ କରିବାରେ ଲାଗିଛି । ତେବେ ଫୁଲକୋବି ଚାଷ ଏହି ବର୍ଷା କାରଣରୁ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଗୋଲାପଡା ଓ ଆମ୍ବପୁଆ ଅଂଚଳର ଅଧିକାଂଶ ଚାଷୀ ଉଲ୍ଲେଖ କରିଛନ୍ତି । ଚାଷୀ ଯୋଗେନ୍ଦ୍ର ବାଡତ୍ୟାଙ୍କ ସୂଚନା ପ୍ରକାରେ ତାଙ୍କର ୨ ଏକର ଜମିରେ ହୋଇଥିବା ଧାନଫସଲ ଏବେ ପାଣିଘରରେ ରହିଛି । କଟା ହୋଇ ଜମିରେ ପଡିଥିବା ପାଚିଲା ଧାନ ଉପରେ ବର୍ଷା ଜଳ ଚାଲିଛି । ଧାର ଉଧାର କରି ଋଣ ଆଣି ଚାଷକାମ ପ୍ରତିକୂଳ ପରିସ୍ଥିତିରେ କରିଥିବାବେଳେ ଏବେ ବର୍ଷକର ଖାଦ୍ୟ କି ରି ଆସିବ ଓ ସାଉକାର ଋଣ କି ରି ଶୁଝିବେ ସେହି ଚିନ୍ତା ଘାରିଛିବୋଲି ନିଜ ପ୍ରତିକ୍ରିୟାରେ ସେ ଉଲ୍ଲେଖ କରିଛନ୍ତି ।

ସେହିପରି ଆଉଜଣେ ଚାଷୀ ଗଙ୍ଗାଧର ପ୍ରଧାନ ନିଜ ପ୍ରତିକ୍ରିୟାରେ ନିଜର ପନିରିବା ଫସଲ ସହ ଧାନ ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ କରି ସରକାର ସହାୟତା ନଯୋଗାଇଲେ ଚାଷୀ ପୁରା ବରବାଦ ହୋଇଯିବେବୋଲି ଉଲ୍ଲେଖ କରିଛନ୍ତି । ଗୋଲାପଡାର ଚାଷୀ ସୋମନାଥ ବେହେରା ନିଜ ପ୍ରତିକ୍ରିୟାରେ ଗୋଲାପଡା ଅଂଚଳର ପନି ରିବା ଚାଷ ଉପରେ ଏହି ଲଗାଣ ବର୍ଷା ପୁରା ମାଡ କରିଥିବା ଉଲ୍ଲେଖ କରି ଏହାଦ୍ୱାରା ପରିବା ବଜାର ବେଶ ପ୍ରଭାବିତ ହେବବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ୨ ଦିନିଆ ଲଗାଣ ବର୍ଷା କାରଣରୁ ଭଞ୍ଜନଗର ପରିବା ମଣ୍ଡି ମଧ୍ୟ ବେଶ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Get real time updates directly on you device, subscribe now.