fbpx

ପ୍ରତାପଙ୍କ ଓଲିଉଡ୍ ଲିଙ୍କର ତନାଘନା କରୁଛି ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସପିଏଚଡବ୍ଲୁସିର ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପ ସାମଲଙ୍କର ଓଲିଉଡ ଲିଙ୍କ ଥିବା ନେଇ ଖୋଳତାଡ଼ ଜାରି ରହିଛି । ପ୍ରତାପଙ୍କ ଓଲିଉଡ ଲିଙ୍କ ଥିବା ନେଇ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ଏନେଇ ପ୍ରତାପଙ୍କ ଭଉଣୀ ନମିତା ଦାସଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ଚାଲିଛି । ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ଓଲିଉଡରେ ଟଙ୍କା ବିନିଯୋଗ କରିଥିଲେ । ସେମାନେ ଓଡ଼ିଆ ସିନେମା ‘ନାରୀ ଆଖିରେ ନିଆଁ’ ଓ ‘ବାଜି’ରେ ଟଙ୍କା ଲଗାଇଥିଲେ । ଉଭୟଙ୍କ ପ୍ରଯୋଜନାରେ ୨ଟି ଫିଲ୍ମରେ ପ୍ରାୟ ୫୦ ଲକ୍ଷ ଲାଗିଥିବା ସୂଚନା ମିଳିଛି ।
ଏହା ସହିତ ପ୍ରତାପ ସାମଲଙ୍କ ସମ୍ପତ୍ତିର ତଥ୍ୟ ଦେଇଛି ଭିଜିଲାନ୍ସ । ଆୟଠାରୁ ୧୦ ଗୁଣା ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଜବତ ସମ୍ପତ୍ତିର ମୂଲ୍ୟ ୧୪ କୋଟି ୮୮ ଲକ୍ଷ ୯୧ ହଜାର ୧୯୪ ଟଙ୍କା ହୋଇଛି । ନଗଦ ରୂପେ ୩୮ ଲକ୍ଷ ୧୨ ହଜାର ୯୦୦ ଟଙ୍କା ଜବତ ହୋଇଛି । ଭୁବନେଶ୍ୱର ଗୋଠପାଟଣାରେ ପ୍ରତାପଙ୍କ ୫ ମହଲା କୋଠା ରହିଛି । ଏହି କୋଠା ୨୦,୩୫୦ ସ୍କୋୟାର ଫୁଟର ଅଞ୍ଚଳରେ ନିର୍ମିତ ହୋଇଛି । ଏହି ୫ ମହଲା କୋଠାର ମୂଲ୍ୟ ୩.୫ କୋଟି ଟଙ୍କା ରହିଛି ।

ଏହା ସହିତ ଆଇଆରସି ଭିଲେଜରେ ୪ ମହଲା କୋଠା ରହିଛି, ଯାହାର ମୂଲ୍ୟ ୬୫ ଲକ୍ଷ ଟଙ୍କା । ବାଲେଶ୍ୱର ବେତଡ଼ାରେ ୨ ମହଲା କୋଠା ରହିଛି, ଯାହାର ମୂଲ୍ୟ ୪୪ ଲକ୍ଷ ଟଙ୍କା । ସେହିପରି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୭ଟି ପ୍ଲଟ, ୧ଟି ଫ୍ଲାଟ ଓ ୧ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୪ଟି ପ୍ଲଟ ଓ ଗୋଟିଏ ବିଲ୍ଡିଂ ରହିଛି । ଏହି ପ୍ଲଟ୍ ଓ ବିଲ୍ଡିଂର ମୂଲ୍ୟ ୧.୫ କୋଟି ଟଙ୍କା ରହିଛି ।

ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ସହ ୨୫ଟି ପ୍ଲଟର ସେଲ ଡିଡ୍ ରହିଛି, ଯାହାର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା ରହିଛି । ୨ଟି ଫିଲ୍ମରେ ୫୦ ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ରାଧାକ୍ରିଷ୍ଟ ପ୍ରଡକ୍ସନ ଜରିଆରେ ଟଙ୍କା ନିବେଶ ହୋଇଛି । ୧୩ ଲକ୍ଷ ୪୩ ହଜାର ଟଙ୍କା ମୂଲ୍ୟର ହୁଣ୍ଡାଇ କ୍ରେଟା ଗାଡ଼ି ରହିଛି । ସେୟାର ମାର୍କେଟିଂରେ ୧ କୋଟି ୭ ଲକ୍ଷ ୪୧ ହଜାର ୮୩୧ ଟଙ୍କା ରହିଛି । ୧.୬ କୋଟି ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ ରହିଛି । ୫୭ ଲକ୍ଷ ୭୧ ହଜାର ୧୫୦ ଟଙ୍କାର ଜୀବନ ବୀମା ରହିଛି । ୧.୨ କୋଟି ଟଙ୍କା ଅନ୍ୟ ଆକାଉଣ୍ଟକୁ ପ୍ରେରଣ କରାଯାଇଛି ।
ତେବେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । OPHWCର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅପାରଗତା ଓ ଦୁର୍ନୀତି ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Get real time updates directly on you device, subscribe now.