fbpx

ଟ୍ରେନ୍‌‌ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ହେଲା ଆରମ୍ଭ, ପୂର୍ବଭଳି ଦିଆଯିବ ରେଡି-ଟୁ-ଇଟ୍ ‌ମିଲ୍‌

ନୂଆଦିଲ୍ଲୀ: ଟ୍ରେନ୍‌‌ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ଆରମ୍ଭ କରାଯିବା ନେଇ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବା ପରେ ସବୁକିଛି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ଟ୍ରେନରେ ରନ୍ଧା ଖାଦ୍ୟ ନ ମିଳିବା ନେଇ ଲଗାଯାଇଥିବା କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ରେଳ ବୋର୍ଡ ପକ୍ଷରୁ ଆଇଆରସିଟିସିକୁ ନିର୍ଦେଶ ଦିଆଯାଇଛି।

ରେଳ ବୋର୍ଡର ସୂଚନା ଅନୁସାରେ, ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପୂର୍ବଭଳି ରେଡି-ଟୁ-ଇଟ୍ ‌ମିଲ୍‌ ଦିଆଯିବ । ରେଡି-ଟୁ-ଇଟ୍‌ ମିଲ୍ ମଧ୍ୟରେ ମିଳୁଛି ନୁଡୁଲ୍‌ସ, ରାଜ୍‌ମା-ଚାୱଲ୍ ଓ ସୁପ୍ ।କୋଭିଡ୍ ସ୍ଥିତିରେ ସୁଧାର ହେବା ପରେ ହୋଟେଲ୍‌ ଓ ରେସ୍ତୋରାଁ ଗୁଡ଼ିକ ଉପରେ ଲଗାଯାଇଥିବା କଟକଣା କୋହଳ ହୋଇଛି । ସେଥିପାଇଁ ଟ୍ରେନ୍‌ରେ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଟ୍ରେନ୍ ଭି୍ତରେ କେବଳ ଚା’ ଓ କଫି, ସ୍ନାକ୍ସ ଓ ପ୍ୟାକେଟ୍‌ରେ ଭର୍ତ୍ତି ରହିଥିବା ରେଡି-ଟୁ-ଇଟ୍‌ ମିଲ୍‌ ଦିଆଯାଉଛି । କେବଳ ଦୂରଗାମୀ ଟ୍ରେନ୍‌ରେ ଏହି ଭୋଜନ ମିଳୁଛି।

କୋଭିଡ୍‌ ମହାମାରୀ ବ୍ୟାପିବା ପରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। କେବଳ କୋଭିଡ୍ ସ୍ବତନ୍ତ୍ର ଓ ଛୁଟି ଦିନ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। କୋଭିଡ୍ ସ୍ଥିତିରେ ସୁଧାର ହେଉଥିବାରୁ ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଛି। ଗତବର୍ଷ ମହାମାରୀ ବ୍ୟାପିବା ପରେ ରେଳବାଇ ପକ୍ଷରୁ ଟ୍ରେନ୍‌ରେ ଖାଦ୍ୟ ଯୋଗାଣ, ବେଡ୍‌ରୋଲ୍, କମ୍ବଳ ଆଦି ଯୋଗାଣ ଉପରେ କଟକଣା ଜାରି କରାଯାଇଥିଲା। ଖାଦ୍ୟ ଯୋଗାଣ ଉପରେ କଟକଣା ଲାଗିବା ପରେ ସେହି ବ୍ୟବସ୍ଥା ସହ ଜଡ଼ିତ ଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିଲେ।

Get real time updates directly on you device, subscribe now.