fbpx

ଇଡେନରେ ଚମକିଲେ ରୋହିତ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୮୫ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଉଥିବା ଅନ୍ତିମ ଟି-୨୦ ମୁକାବିଲାରେ ଭାରତ ୭ ୱିକେଟ ହରାଇ ୧୮୪ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ସହିତ ସର୍ବାଧିକ ୫୬ ରନ ସଂଗ୍ରହ କରିଥିବା ବେଳେ ଶେଷ ଆଡକୁ ଦୀପକ ଚହର ଧୂଆଁଧାର ୨୧ ରନ କରିଥିଲେ । ସିରିଜରେ କ୍ରମାଗତ ତୃତୀୟ ଥର ପାଇଁ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ରୋହିତ ଶର୍ମା ୩୧ ବଲରୁ ୫୬ ରନ ସଂଗ୍ରହ କରିଥିବା ବେଳେ ଇଶାନ କିଶନ ୨୧ ବଲ ଖେଳି ୨୯ ରନ କରିଥିଲେ । ରୋହିତଙ୍କ ଇନିଂସରେ ୫ ଚୌକା ଓ ୩ ଛକା ସାମିଲ ରହିଥିବା ବେଳେ ଇଶାନ ୬ଟି ଚୌକା ମାରିଥିଲେ । ମାତ୍ର ୪ ବଲ ବ୍ୟବଧାନରେ ଇଶାନ କିଶନ ଓ ସୂର୍ଯ୍ୟ କୁମାର ଯାଦବ(୦) ଆଉଟ ହେବାରୁ ଦଳ ସଙ୍କଟରେ ପଡିଥିଲା । ଋଷଭ ପନ୍ତ (୪) ବିଶେଷ କିଛି କରି ନପାରି ମିଚେଲ ସାଣ୍ଟନରଙ୍କ ତୃତୀୟ ଶିକାର ହୋଇଥିଲେ । ଶ୍ରେୟସ ଆୟର(୨୫) ଏବଂ ଭେଙ୍କଟେଶ ଆୟର(୨୦)ଙ୍କ ଉପଯୋଗୀ ଅବଦାନ ଫଳରେ ଦଳ ୧୪୦ ଅତିକ୍ରମ କରିଥିଲା । ତେବେ ଶେଷ ୨ ଓଭରରେ ହର୍ଷଲ ପଟେଲ(୧୮) ଏବଂ ଦୀପକ ଚହର(୨୧)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୧୮୦ ପାର କରିଥିଲା । ଦୀପକ ଚହର ୮ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୨୭ ରନରେ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୋଲ୍ଟ, ଆଡାମ ମିଲନେ, ଲୋକି ଫର୍ଗୁସନ ଏବଂ ଇଶ୍ ସୋଧୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.