fbpx

ଇଡେନ୍ ସହିତ ରୋହିତଙ୍କ ରୋମାନ୍ସ ଜାରି: ସିରିଜ କ୍ଲିନ ସୁଇପ୍ କଲା ଭାରତ

ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ଇଡେନ୍ ଗାର୍ଡେନ ମଧ୍ୟରେ ରହିଥିବା ପ୍ରେମ ପୁଣି ଥରେ ଉଙ୍କି ମାରିଛି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଏହି ଷ୍ଟାଡିୟମରେ ଅଧିନାୟକ ଭାବରେ ନିଜର ପ୍ରଥମ ସିରିଜ ବିଜୟ ହାସଲ କରିଛନ୍ତି ରୋହିତ ଶର୍ମା । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ୧୧୧ରନରେ ସୀମିତ ରହିଥିଲା । ଅକ୍ଷର ପଟେଲ ୯ ରନରେ ୩ଟି ୱିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗପ୍ଟିଲ ସର୍ବାଧିକ ୫୧ ରନ କରିଥିବା ବେଳେ ଟିମ ସେଫର୍ଟ ୧୭ ଓ ଲୋକି ଫର୍ଗୁସନ ୧୪ ରନ କରିଥିଲେ । ଦଳର ୮ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ଅନ୍ୟମାନଙ୍କ ମଧ୍ୟରେ ହର୍ଷଲ ପଟେଲ ୨ଟି ୱିକେଟ ନେଇଥିବା ବେଳେ ଦୀପକ ଚହର, ଚହଲ ଓ ଭେଙ୍କଟେଶ ଆୟର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ରୋହିତ ଶର୍ମା ୩୧ ବଲରୁ ୫୬ ରନ ସଂଗ୍ରହ କରିଥିବା ବେଳେ ଇଶାନ କିଶନ ୨୧ ବଲ ଖେଳି ୨୯ ରନ କରିଥିଲେ । ରୋହିତଙ୍କ ଇନିଂସରେ ୫ ଚୌକା ଓ ୩ ଛକା ସାମିଲ ରହିଥିବା ବେଳେ ଇଶାନ ୬ଟି ଚୌକା ମାରିଥିଲେ । ମାତ୍ର ୪ ବଲ ବ୍ୟବଧାନରେ ଇଶାନ କିଶନ ଓ ସୂର୍ଯ୍ୟ କୁମାର ଯାଦବ(୦) ଆଉଟ ହେବାରୁ ଦଳ ସଙ୍କଟରେ ପଡିଥିଲା । ଋଷଭ ପନ୍ତ (୪) ବିଶେଷ କିଛି କରି ନପାରି ମିଚେଲ ସାଣ୍ଟନରଙ୍କ ତୃତୀୟ ଶିକାର ହୋଇଥିଲେ । ଶ୍ରେୟସ ଆୟର(୨୫) ଏବଂ ଭେଙ୍କଟେଶ ଆୟର(୨୦)ଙ୍କ ଉପଯୋଗୀ ଅବଦାନ ଫଳରେ ଦଳ ୧୪୦ ଅତିକ୍ରମ କରିଥିଲା । ତେବେ ଶେଷ ୨ ଓଭରରେ ହର୍ଷଲ ପଟେଲ(୧୮) ଏବଂ ଦୀପକ ଚହର(୨୧)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୧୮୦ ପାର କରିଥିଲା । ଦୀପକ ଚହର ୮ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୨୭ ରନରେ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୋଲ୍ଟ, ଆଡାମ ମିଲନେ, ଲୋକି ଫର୍ଗୁସନ ଏବଂ ଇଶ୍ ସୋଧୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.