fbpx

ମାହାଙ୍ଗା ଡ଼ବଲ ମର୍ଡ଼ର ମାମଲା: ୨୯ ସୁଦ୍ଧା ଚାର୍ଜସିଟ୍‌ ଓ ସିଡ଼ିଆର୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ସାଲେପୁର, (ଭାସ୍କର ନ୍ୟୁଜ୍‌): ମାହାଙ୍ଗା ଡ଼ବଲ ମର୍ଡ଼ର ମାମଲାରେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଚାର୍ଜସିଟ୍‌ ଓ ସିଡ଼ିଆର (କଲ୍‌ ଡିଟେଲ୍ସ ରେକର୍ଡ) ରିପୋର୍ଟ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ । ପୂର୍ବରୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ସିଡିଆର ରିପୋର୍ଟ ଦାଖଲ ପାଇଁ କୋର୍ଟ ନର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାହାଙ୍ଗା ଥାନା ପୋଲିସ ସମୟ ମାଗିବାରୁ ମାମଲାର ଶୁଣାଣି କରି ରିପୋର୍ଟ ଦାଖଲ ପାଇଁ ସମୟ ସୀମା ବଢ଼ାଇ ଦେଇଛନ୍ତି କୋର୍ଟ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁନଃ ଚାର୍ଜସିଟ୍‌ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଅଭିଯୁକ୍ତ ବାପି ବିଶ୍ୱାଳ, ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ମଲ୍ଲିକ ଓ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ସିଡିଆର୍‌ ରିପୋର୍ଟ କୋର୍ଟରେ ଦାଖଲ ପାଇଁ ମାହାଙ୍ଗା ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି ।

ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ନୃତାଙ୍ଗ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ମାହାଙ୍ଗା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ (୭୫ ବର୍ଷ) ଓ ତାଙ୍କ ସମ୍ପର୍କୀୟ ଦିବ୍ୟସିଂହ ବରାଳ (୮୨ ବର୍ଷ)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଅଗଷ୍ଟ ୨୫ ତାରିଖରେ କୋର୍ଟ ଏହି ମାମଲାରେ ପୁନଃ ଚାର୍ଜସିଟ୍‌ ଦାଖଲ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ତିନି ମାସ ବିତି ଯାଇଥିବା ବେଳେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇନଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନଭେମ୍ବର ୨୦ରେ ଏହାର ଶୁଣାଣି କରି ତୁରନ୍ତ ଚାର୍ଜସିଟ୍‌ ଓ ସିଡିଆର୍‌ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ । ଅନ୍ୟପଟେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳ ଧରା ପଡ଼ି ନଥିବା ବେଳେ ତାଙ୍କର ଏକ ଟ୍ରକ ଦୁର୍ଘଟଣାରେ ଗତ ଫେବୃଆରୀରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.