fbpx

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ: ଅଶ୍ୱିନୀ ଓ ଜୟନ୍ତଙ୍କ ବୋଲିଂରେ ଘାଇଲା ହେଲା କିୱି

ନ୍ୟୂଜିଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜ୍ କବଜା କରିଛି । ଦ୍ୱିତୀୟ ଟେଷ୍ଟରେ ଭାରତ ୩୭୨ ରନରେ ବିଜୟ ହାସଲ କରି ଏହି ମାଇଲଖୁଣ୍ଟ ସ୍ଥାପନ କରିଛି । ଗତକାଲି ନ୍ୟୁଜିଲାଣ୍ଡ ୧୪୦ ରନରେ ୫ଟି ୱିକେଟ ହରାଇଥିବାରୁ ୨ ଦିନ ବାକି ଥାଇ ଭାରତର ବିଜୟ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ମାତ୍ର ଆଜି ରବିଚନ୍ଦ୍ରନ ଅଶ୍ୱିନୀ ଓ ଜୟନ୍ତ ଯାଦବଙ୍କ ବୋଲିଂ ଆଗରେ ନ୍ୟୁଜିଲାଣ୍ଡକୁ ହାର ମାନିବାକୁ ପଡ଼ିଥିଲା । କିୱି ଦଳ ୧୬୭ ରନରେ ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଛି ।

ପ୍ରଥମ ଟେଷ୍ଟକୁ ନ୍ୟୁଜିଲାଣ୍ଡ ସଂଘର୍ଷ କରି ଡ୍ର କରିବାରେ ସକ୍ଷମ ହୋଇଥିଲା । ମାତ୍ର ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀ ଓ ଜୟନ୍ତଙ୍କ ଆକ୍ରମଣ ଆଗରେ ତିଷ୍ଠି ପାରିନଥିଲା । ଏହି ଦୁଇ ବୋଲର ୪ଟି ଲେଖାଏଁ ୱିକେଟ ନେଇ କିୱିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିବା ବେଳେ ଆଉ ଜଣେ ରନଆଉଟ୍ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଡେରି ମିଚେଲ ସର୍ବାଧିକ ୬୦, ହେନରୀ ନିକୋଲସ ୪୪ ରନ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡର ୬ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ପୂର୍ବରୁ ଭାରତ ୨୬୭/୭ରେ ପାଳି ଘୋଷଣା କରି ପ୍ରତିପକ୍ଷ ସମ୍ମୁଖରେ ୫୪୦ ରନର ବିଶାଳ ଟାର୍ଗେଟ୍ ଛିଡ଼ା କରିଥିଲା । ରନ ହିସାବରେ ଏହା ଟେଷ୍ଟ କ୍ରିକେଟରେ ଭାରତର ସବୁଠାରୁ ବଡ଼ ବିଜୟ । ପୂର୍ବରୁ ଗତ ୨୦୧୫ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୩୭ ରନରେ ଓ ୨୦୧୬ରେ ନ୍ୟୁଜିଲାଣ୍ଡକୁ ୩୨୧ ରନରେ ମାତ୍ ଦେଇଥିଲା ।

Get real time updates directly on you device, subscribe now.