ଆଗକୁ ପୁଣି କନ୍ଦାଇବ ମହଙ୍ଗା ମାଡ଼: ସାଧାରଣ ଜନତାଙ୍କୁ RBI ଗଭର୍ଣ୍ଣରଙ୍କ ୫ ପଏଣ୍ଟ ଫର୍ମୂଲା

ନୂଆଦିଲ୍ଲୀ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ଉପସ୍ଥାପନ କରିଛନ୍ତି । ଓମିକ୍ରନକୁ ଦୃଷ୍ଟିରେ ରଖି ସୁଧ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ପରି ରେପୋ ରେଟ୍ ୪ ପ୍ରତିଶତ, ରିଭର୍ସ ରେପୋ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଗତ ବର୍ଷ ଆରବିଆଇ ରେପୋ ରେଟ୍ ୦.୭୫ ପ୍ରତିଶତ ଓ ମେରେ ୦.୪୦ ପ୍ରତିଶତ ହ୍ରାସ କରିବା ପରେ ଏହା ୪ ପ୍ରତିଶତ ରେକର୍ଡ ସ୍ତରକୁ ଚାଲିଯାଇଥିଲା । ତେବେ ଏହି ଅବସରରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଜ ଭାଷଣରେ ଜନସାଧାରଣଙ୍କୁ ଏହି ୫ଟି ପରାମର୍ଶ ଦେଇଛନ୍ତି ।

(୧) ସେ କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥା ପାଇଁ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । କୋଭିଡ-୧୯ ସମସ୍ୟାକୁ ସାମନା ପାଇଁ ଦେଶ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ମହଙ୍ଗାରୁ ରକ୍ଷା ପାଇବା ପାଇଁ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଷ୍ଟକ୍ ଉପଲବ୍ଧ ରହିଛି ।

(୨) ଆରବିଆଇ ପକ୍ଷରୁ ରିୟଲ ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି । ଅର୍ଥାତ ଦେଶର ବିକାଶ ସାମାନ୍ୟ ଗତିରେ ଚାଲିବ । ଆସନ୍ତା ବର୍ଷ ତୃତୀୟ ତ୍ରୈମାସିକରେ ଏହା ୬.୮ରୁ ହ୍ରାସ ପାଇ ୬.୬ ପ୍ରତିଶତ ରହିବ ବୋଲି କୁହାଯାଇଛି ।

(୩) ଗଭର୍ଣ୍ଣର କହିଛନ୍ତି ଯେ, ଆରବିଆଇ ଡିଜିଟାଲ କାରବାର ଉପରୁ ଶୁଳ୍କ ଆଦାୟ ଉପରେ ବିଚାର କରିବ । ଅର୍ଥାତ ଆଗାମୀ ସମୟରେ ଡିଜିଟାଲ ପେମେଣ୍ଟ ପାଇଁ ଜନସାଧାରଣଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ । ଆରବିଆଇ ୟୁପିଆଇ ଆଧାରିତ ଫିଚର ଫୋନ ଲଞ୍ଚ କରିବା ନେଇ ପ୍ରୟାସ ଚଳାଇଛି ।

(୪) ସେ ପୁଣି କହିଛନ୍ତି ଯେ, ଦେଶରେ କଞ୍ଜପସନ ଡିମାଣ୍ଡ କ୍ଷେତ୍ରରେ ସୁଧାର ଆସିଛି । ଆସନ୍ତା ୨୦୨୨ ଜାନୁଆରୀରୁ ଓପନ ମାର୍କେଟ୍ ଅପରେସନ (ଓଏମଓ) ଜରିଆରେ ଲିକ୍ୱିଡିଟି ଆଡଜଣ୍ଟମେଣ୍ଟ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହେବ ।

(୫) କେନ୍ଦ୍ର ଓ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଓ ମୂଲ୍ୟ ଯୁକ୍ତ କର (ଭାଟ) ହ୍ରାସ କରିବାକୁ ପୁଣି ଦାବି ହୋଇପାରେ । ସରକାରଙ୍କର ଏହି ହ୍ରାସ ନିଷ୍ପତ୍ତି ଜନତାଙ୍କ କ୍ରୟକୁ ବୃଦ୍ଧି କରିବାରେ ସହାୟକ ହୋଇଛି ।