fbpx

ଆଜିଠୁ ୭ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ କାର୍ଯ୍ୟକ୍ରମ: ଗଞ୍ଜାମରେ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଉ କିଛିଦିନ ପରେ ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏଥିନେଇ ଚଳିତମାସ ଶେଷ ସପ୍ତାହରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି । ଆସନ୍ତା ୧୨ ତାରିଖରୁଅର୍ଥାତ ରବିବାରଠୁ ୧୫ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୭ଟି ଜିଲ୍ଲାପାଇଁ ନିଜର କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଶ୍ରୀ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ୧୨ ତାରିଖରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ତାରାତାରିଣୀ ପୀଠରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସେ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ । ସେହିପରି ୧୩ ତାରିଖରେ ଶ୍ରୀ ପଟ୍ଟନାୟକ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ୧୪ ଓ ୧୫ ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଏହି ୪ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିବା ଓ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ଏଥିନେଇ ଏହି ୭ଟି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବକୁ ଜୋରଦାର କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ଓ ଭର୍ଚୁଆଲ ମୋଡରେ ୨୩ଟି ଜିଲ୍ଲା ଗସ୍ତ କରି ସ୍ମାର୍ଟକାର୍ଡ ବଣ୍ଟନ କରିଥିବାବେଳେ ବାକି ୭ ଜିଲ୍ଲାର କାର୍ଯ୍ୟକ୍ରମ ତୁରନ୍ତ ଶେଷ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.