fbpx

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଳା ହାରିସଙ୍କୁ ବଡ଼ ଝଟକା, ୩ଟି ସର୍ଭେରେ ଟ୍ରମ୍ପଙ୍କ ଠାରୁ ପଛରେ

ନୂଆଦିଲ୍ଲୀ: ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି । ଏଥିମଧ୍ୟରେ ରିପବ୍ଲିକାନ୍ ପାର୍ଟି ଏବଂ ଡେମୋକ୍ରାଟିକ ପାର୍ଟି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି । ଆମେରିକା ଉପ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି । କିନ୍ତୁ କମଳା ହାରିସ ୩ଟି ଜାତୀୟ ସର୍ବେକ୍ଷଣରେ ଟ୍ରମ୍ପଙ୍କ ଠାରୁ ପଛରେ ରହିଛନ୍ତି । ଏହା କମଳାଙ୍କୁ ବଡ଼ ଝଟକା ଦେଇଛି ।

ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ପେନ୍ସିଲଭେନିଆ ରାଜ୍ୟର ଗୁରୁତ୍ୱ ରହିଛି । ଏଠାରେ ହୋଇଥିବା ୨ଟି ସର୍ଭେକ୍ଷଣରୁ ଜଣାପଡ଼ିଛି ଯେ ଟ୍ରମ୍ପ ହାରିସଙ୍କୁ ଲିଡ୍ କରୁଛନ୍ତି । ପେନ୍ସିଲଭେନିଆରେ ୧୯ଟି ଇଲେକ୍ଟୋରାଲ ଭୋଟ୍ ରହିଛି । ଏହି ରାଜ୍ୟରେ Cygnal ଏବଂ Emerson କଲେଜର ସର୍ଭେରେ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ଲିଡ୍ କରୁଛନ୍ତି । ଅଗଷ୍ଟ ୧୪ ଏବଂ ୧୫ରେ ୮୦୦ ଭୋଟରଙ୍କୁ ନେଇ ହୋଇଥିବା ଏକ ସର୍ଭେ ଅନୁଯାୟୀ ଟ୍ରମ୍ପଙ୍କୁ ୪୪% ସମର୍ଥନ ମିଳିଥିବା ବେଳେ ହାରିସଙ୍କୁ ୪୩% ଭୋଟ ମିଳିଛି । ଏହି ସର୍ଭେରେ ସ୍ୱାଧୀନ ପ୍ରାର୍ଥୀ ରବର୍ଟ ଏଫ୍ କେନେଡି ଜୁନିୟରଙ୍କୁ ୫% ଭୋଟ ମିଳିଛି । ସେହିଭଳି ଅଗଷ୍ଟ ୧୩ ଏବଂ ୧୪ରେ RealClearPennsylvania ପାଇଁ ପେନ୍ସିଲଭେନିଆରେ ୧୦୦୦ ସମ୍ଭାବିତ ଭୋଟରଙ୍କୁ ନେଇ Emerson କଲେଜରେ ହୋଇଥିବା ସର୍ଭେରେ ଟ୍ରମ୍ପଙ୍କୁ ୪୯% ଭୋଟ ମିଳିଥିବାବେଳେ ହାରିସଙ୍କୁ ୪୮% ଭୋଟ ମିଳିଥିଲା । ଅପରପକ୍ଷରେ ଜାତୀୟ ସ୍ତରରେ ହୋଇଥିବା ସର୍ଭେରେ ମଧ୍ୟ ଟ୍ରମ୍ପ ହାରିସଙ୍କ ଠାରୁ ଆଗରେ ରହିଛନ୍ତି । ଅଗଷ୍ଟ ୧୨-୧୪ ମଧ୍ୟରେ ହୋଇଥିବା RMG ରିସର୍ଚ୍ଚ ତରଫରୁ ୨୭୦୮ ଭୋଟରଙ୍କୁ ନେଇ ହୋଇଥିବା ଏକ ସର୍ଭେରେ ଟ୍ରମ୍ପଙ୍କୁ ୪୬% ଭୋଟ ମିଳିଥିବା ବେଳେ ହାରିସଙ୍କୁ ୪୫% ଭୋଟ ମିଳିଥିଲା ।

କହିରଖୁଛୁ ଜୁଲାଇ ୨୧କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ପଦ ଦୌଡ଼ରୁ ହଟିବା ନେଇ ଘୋଷଣା କରବା ସହ କମଳା ହାରିସଙ୍କୁ ସମର୍ଥନ କରିବେ ବୋଲି କହିଥିଲେ । ବର୍ତ୍ତମାନ ଏକାଠି ଆସି ଟ୍ରମ୍ପଙ୍କୁ ହରାଇବାର ସମୟ ବୋଲି ବାଇଡେନ୍ କହିଥିଲେ ।

 

Get real time updates directly on you device, subscribe now.