କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ରେ ହୋଇପାରେ ପରିବର୍ତ୍ତନ । ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ କିପର ଋଷଭ ପନ୍ତ ଶେଷ୍ଠ ଏକାଦଶରୁ ବାହାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦିନିକିଆ ସିରିଜକୁ ମୂଳପୋଛ କରିବା ପରେ ଟି-୨୦ ସିରିଜ ମଧ୍ୟ ଜିତି ସାରିଛି ଭାରତ । ତେବେ ତୃତୀୟ ତଥା ଶେଷ ମ୍ୟାଚରେ ରୋହିତ କିଛି ନବାଗତ ଖେଳାଳିଙ୍କୁ ସୁଯୋଗ ଦେଇ ପାରନ୍ତି ।
ବାୟୋ ବବଲରୁ ଉଭୟ କେଳାଳିଙ୍କୁ ସାମାନ୍ୟ ବିଶ୍ରାମ ଦେବା ପାଇଁ ଏମିତି ଏକ ନିଷ୍ପତ୍ତି ନେଇପାରନ୍ତି ଟିମ ପ୍ରବନ୍ଧକ । କେବଳ ଏହି ମ୍ୟାଚ ନୁହେଁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ବିଶ୍ରାମ ନେଇ ପାରନ୍ତି ବିରାଟ କୋହଲି । ଏହି ସିରିଜରେ ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, କୁଳଦୀପ ଯାଦବ ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳି ନାହିଁ । ତେଣୁ ଏହି ମ୍ୟାଚରେ ଏମାନଙ୍କ ମଧ୍ୟରୁ କେହି ଖେଳାଳି ଦଳରେ ସାମିଲ ହୋଇପାରନ୍ତି ।
ଅଧିନାୟକ ପଦରେ ରୋହିତ ଶର୍ମା ଏବଂ ଇଶାନ କିଶାନ ପାଳି ଆରମ୍ଭ କରୁଥିବା ବେଳେ ତାଙ୍କୁ ୱିକେଟ କିପରର ଭୂମିକା ମିଳିବ । ସେହିପରି ବିରାଟ କୋହଲିଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡଙ୍କୁ ଦଳ ସାମିଲ କରିପାରେ । ଏଥି ସହ ଇଶାନ କିଶାନ ମଧ୍ୟ ମିଡିଲ ଅର୍ଡରରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଏମିତି ହେଲେ ଋତୁରାଜ ରୋହିତଭ୍କ ସହ ଓପନିଙ୍ଗ କରିବେ । ଏହାପରେ ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ଉପରେ ମଧ୍ୟକ୍ରମ ଦାୟିତ୍ୱ ରହିବ । ତେବେ ବୋଲିଙ୍ଗ ବିଭାଗରେ ହର୍ଷଲ ପଟେଲ, ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ରହିବେ । ଅନ୍ୟ ପକ୍ଷରେ ଭୁବିଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇ ପାରେ । ସେହିପରି ସ୍ପିନ ଆଟାକରେ ରବି ବିଷ୍ଣୋଇ ଖେଳିବା ନିଶ୍ଚିତ ଥିବା ବେଳେ କୁଳଦୀପ ଯାଦବ ଦଳରେ କମବ୍ୟାକ କରି ପାରନ୍ତି । ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦେଇ କୁଳଦୀପଭ୍କୁ ଏହି ମ୍ୟାଚ ଖେଳାଇବା ପାଇଁ ସୁଯୋଗ ଦିଆଯାଇପାରେ ।