ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କୌଣସି ଘଟଣା ଭାଇରାଲ ହେବାକୁ ମାତ୍ର କେଇଟା ମୁହୂର୍ତ୍ତ ହିଁ ଲାଗିଥାଏ । ତେବେ ବର୍ତ୍ତମାନ ଦୁଇ ପିଲାଙ୍କ ଭିତରେ ହେଉଥିବା ମାରପିଟର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଏ ଦୁହିଁଙ୍କ ଭିତରେ ଚାଲିଥିବା ଗଣ୍ଡଗୋଳ ମାମୁଲି ଘଟଣା ନୁହେଁ । ଜଣେ ପିଲା ନନଷ୍ଟପ୍ ମାଡ ମାରି ଚାଲିଛି ତ ଆଉ ଜଣେ ମାରିବା ପାଇଁ ସମୟ ହିଁ ପାଉନି । ଖାଲି ସେତିକି ନୁହେଁ, ମାତ୍ର କେଇଟା ମୁହୂର୍ତ୍ତ ଭିତରେ ମାଡର ବିଭିନ୍ନ ଆଇଟମ୍ ସେ ଚଖେଇ ଦେଇଛନ୍ତି । ଯିଏ ଦେଖୁଛି ସେ କହୁଛି ବାବାରେ କି ମାଡ…
ଘଟଣାଟି ହେଉଛି ଉତ୍ତର ପ୍ରଦେଶ କଲ୍ୟାଣପୁର ଅଞ୍ଚଳର । ଦୁଇ ଜଣ ପିଲା ମିଶି କୃଷ୍ଣା ସିଂହ ନାମକ ଜଣେ ପିଲାକୁ ନିର୍ଧୁମ ମାଡ ମାରିବାର ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି । ମାତ୍ର ୪୫ ସେକେଣ୍ଡ ଭିତରେ କୃଷ୍ଣାଙ୍କୁ ୨୫ ଚାପୁଡା, ୬ ଗୋଇଠା ସହିତ ୫ ଜୋତା ପାହାର ଦେଇଛନ୍ତି ଏହି ଦୁଇ ପିଲା । ତେବେ କୃଷ୍ଣାର ଅପରାଧ ଅନୁସାରେ ଏମିତି ମାଡ ମାରିବା ଖୁବ ଅନ୍ୟାୟ ବୋଲି କୁହାଯାଇଛି । ପ୍ରକୃତରେ ଏହି ଦୁଇ ଜଣ ପିଲା କୃଷ୍ଣାଙ୍କୁ ଭେଟିବା ପାଇଁ ଡକାଇଥିଲେ । କିନ୍ତୁ କୃଷ୍ଣା ସଠିକ ସମୟରେ ନ ପହଞ୍ଚି ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲା । ଏହି ଛୋଟ ଭୁଲ ପାଇଁ କୃଷ୍ଣାଙ୍କୁ ଏମିତି ନିଷ୍ଠୁର ଭାବରେ ମାଡ ମରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, କୃଷ୍ଣାଙ୍କ ସହ ମାରପିଟି ର ଏହି ଭିଡିଓ ଭାଇରାଲ ହୋଇଛି । ତେବେ ଏହି ଭିଡିଓକୁ ଭିତ୍ତି କରି ୪ ଜଣ ପିଲାଙ୍କ ବିରୋଧରେ ମାମଲା ରୁଜୁ କରିଛି କଲ୍ୟାଣପୁର ପୋଲିସ । ତେବେ ଏମାନଙ୍କ ଭିତରୁ କୌଣସି ପିଲାର ପରିଚୟ ମିଳି ପାରିନଥିବା ବେଳେ ପୋଲିସ ଉଦ୍ୟମ ଜାରି ରଖିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ମୁଖ୍ୟାଳୟର ଏଡିସିପି ଅଶୋକ କୁମାର ସିଂହ ।