fbpx

୪ ବର୍ଷ ଭିତରେ ଭାରତୀୟ ସେନାରେ ଅଫିସର ହେବାର ସୁଯୋଗ: ଏହି ସ୍କିମ କରିବ ସାହାଯ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଅନେକ ଯୁବପିଢୀଙ୍କ ମନାରେ ଇଚ୍ଛା ଏବଂ ଆଶା ରହିଥାଏ । କିନ୍ତୁ କିଛି ପିଲା ଏହାକୁ ସପଳତା ସହ ହାସଲ କରିପାରୁଥିବା ବେଳେ ଆଉ କିଛି ପ୍ରାର୍ଥି ଭର୍ତ୍ତି ହୋଇ ପାରନ୍ତି ନାହିଁ । ତେବେ ଭାରତୀୟ ସେନା ପକ୍ଷରୁ ଏକ ବଡ ଯୋଜନା ପ୍ରଣିତ ହୋଇଛି, ଯାହାଦ୍ୱାରା ଇଚ୍ଛୁକ ପ୍ରାର୍ଥିଙ୍କୁ ସେନାରେ ଯୋଗ ଦେବାରେ ଅଧିକ ସାହାଯ୍ୟ କରିବ । ମାତ୍ର ୪ ବର୍ଷ ଭିତରେ ଭାରତୀୟ ସେନାର ଜଣେ ଅଫିସର ଭାବରେ ନିୟୋଜିତ ହୋଇପାରନ୍ତି ଯୁବବର୍ଗ ।

ଭାରତୀୟ ସେନାର ଟେକ୍ନିକାଲ ପ୍ରବେଶ ଯୋଜନା(ଟିଇଏସ) ଅଧୀନରେ ବର୍ତ୍ତମାନ ୪ ବର୍ଷରେ ସେନା ଅଧିକାରୀର ପଦବୀ ହାସଲ କରାଯାଇ ପାରିବ । ଅଧିକାରୀଙ୍କ ପାଇଁ ୪ ବର୍ଷୀୟ ମଡେଲ(୩+୧) ରକିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ୫ ବର୍ଷ ପରିବର୍ତ୍ତେ ମାତ୍ର ୪ ବର୍ଷରେ ଭାରତୀୟ ସେନାରେ ନିଯୁକ୍ତି ମିଳିପାରିବ । ତେବେ ଏହି ଯୋଜନା ଆସନ୍ତାବର୍ଷ ଅର୍ଥାତ୍ ୨୦୨୪ରେ ଲାଗୁ କରାଯିବ । ଏହି ମଡେଲରେ କ୍ୟାଡେଟ ଟ୍ରେନିଙ୍ଗ ୱିଙ୍ଗସରେ ବୈଷୟିକ ପ୍ରଶିକ୍ଷଣ ଉପରେ ୩ ବର୍ଷର ପ୍ରଶିକ୍ଷଣ ସାମିଲ ରହିଛି । ଏହାପରେ ଡେରାଡୁନରେ ଭାରତୀୟ ସୈନ୍ୟ ଏକାଡେମୀରେ ମଧ୍ୟ ଏକ ବର୍ଷର ମୌଳିକ ତାଲିମ ପ୍ରଦାନ କରାଯିବ । ୪ ବର୍ଷର ପ୍ରଶିକ୍ଷଣ ମଡେଲ ଏହା ନିଶ୍ଚିତ କରିବ ଯେ, ଭାରତୀୟ ସେନା ୟୁନିଟର ଅଫିସରମାନେ ଅତିରିକ୍ତ ବର୍ଷ ପାଇଁ ଦେଶ ସେବା କରିବେ । ସିଟିଡବ୍ଲୁ ଏବଂ ଆଇଏମଏରେ ପ୍ରଶିକ୍ଷଣ ପାଇଁ ସଞ୍ଚିତ କ୍ରେଡିଟକୁ ବିଟେକ୍ ର ମାନ୍ୟତାରେ ଗଣନା କରାଯିବ । ମାର୍ଚ୍ଚ ୨୦୨୩ରେ ଏହାକୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ଅକିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ଅନୁମୋଦନ କରାଯାଇଛି ।

ବିଟେକ୍ ଗ୍ରାଜୁଏଟ ଭାବେ ଭାରତୀୟ ସେନାରେ ଅଧିକାରୀଙ୍କ ଆଡମିସନ ପାଇଁ ୧୯୯୯ ମସିହାରୁ ୫ ବର୍ଷୀୟ ବୈଷୟିକ ପ୍ରବେଶ ଯୋଜନା ମଡେଲ ପ୍ରଣୟନ କରାଯାଇଛି । ଏହାଦ୍ୱାରା ଅଧିକାରୀ ପ୍ରଶିକ୍ଷଣ ଏକାଡେମୀ ବିହାରର ଗୟାରେ ଏକ ବର୍ଷର ସୈନ୍ୟ ପ୍ରଶିକ୍ଷଣ ଦିଆଯାଇଥାଏ । ଏହାପରେ ବର୍ଷକ ପାଇଁ ପୁଣେ, ମଧ୍ୟପ୍ରଦେଶ ଏବଂ ସିକନ୍ଦରାବାଦ ସ୍ଥିତ ଭାରତୀୟ ସେନାର ୩ ଇଞ୍ଜିନିୟରିଙ୍ଗ କଲେଜରେ ଟ୍ରେନିଙ୍ଗ ପ୍ରଦାନ କରାଯାଏ ।

Get real time updates directly on you device, subscribe now.