ଆସନ୍ତା ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେବ ଅବପାତ ରୂପ, ୨୮ ଯାଏଁ ପ୍ରବଳ ବର୍ଷା
ଆସନ୍ତା 12 ଘଣ୍ଟାରେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତର ରୂପ ନେବ । ସତର୍କ କରାଇଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଭୁବନେଶ୍ବର: ଆସନ୍ତା 12 ଘଣ୍ଟାରେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତର ରୂପ ନେବ । ସତର୍କ କରାଇଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ଉତ୍ତର-ପଷ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଆଡ଼େ ମୁହାଁଇବ ।
ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରଭାବ ରହିବା ନେଇ ସୂଚନା ଜାରି । ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା 28 ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ । ସେନେଇ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଆଜି ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୯ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।