ନୂଆଦିଲ୍ଲୀ: ନିକଟରେ ଉତ୍ତରପ୍ରଦେଶର ସମ୍ଭଲ ହିଂସାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ସମସ୍ତ ଅଞ୍ଚଳ ବର୍ତ୍ତମାନ ପୋଲିସ ଛାଉଣୀରେ ରହିଛି । ଏଥିମଧ୍ୟରେ ଶନିବାର ସମାଜବାଦୀ ପାର୍ଟିର ପ୍ରତିନିଧି ଦଳ ସମ୍ଭଲ ଗସ୍ତ କରିବ । ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ମାତା ପ୍ରସାଦଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର ୫ ଜଣ ସାଂସଦଙ୍କ ସମେତ ୧୫ ଜଣ ନେତା ସମ୍ଭଲ ଗସ୍ତ କରିବେ । ସେଠାରେ ସେମାନେ ପୀଡ଼ିତଙ୍କୁ ଭେଟି ନିଜ ରିପୋର୍ଟ ଦଳର ମୁଖିଆ ଅଖିଲେଶ ଯାଦବଙ୍କୁ ପ୍ରଦାନ କରିବେ ।
ସମ୍ଭଲର ଶାହି ଜାମା ମସଜିଦ ଏବଂ ହରିହର ମନ୍ଦିରକୁ ନେଇ ହିନ୍ଦୁ-ମୁସଲିମ ଦଳ ନିଜ ନିଜର ଦାବି ଉପସ୍ଥାପନ କରୁଛନ୍ତି । ଏନେଇ ଆସନ୍ତା ଜାନୁାଆରୀ ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ସମ୍ଭଲ କୋର୍ଟ ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ନେତାଙ୍କ ସମ୍ଭଲ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଅନ୍ୟପଟେ ଲକ୍ଷ୍ନୌରେ ମାତା ପ୍ରସାଦ ପାଣ୍ଡେଙ୍କ ଘରେ ପୋଲିସ ଛାଉଣି କରାଯାଇଛି । ଅପରପକ୍ଷରେ ମୁରାଦାବାଦ କମିଶନର ଅଞ୍ଜନେୟ କୁମାର ସଂହ ଏକ ବୟାନରେ କହିଛନ୍ତି, ‘ବର୍ତ୍ତମାନ ସମ୍ଭଲରେ ଶାନ୍ତି ସ୍ଥାପନ କରାଯାଇଛି । ଏଭଳି ସ୍ଥିତିରେ ସେଠାକୁ କେହିବି ଗସ୍ତ କରିବା ହିଂସାର କାରଣ ହୋଇପାରେ ।’
ସମାଜବାଦୀ ପାର୍ଟିର ପ୍ରତିନିଧି ଦଳରେ ବିଧାନସଭାର ବିରୋଧୀ ଦଳ ନେତା ମାତା ପ୍ରସାଦ ପାଣ୍ଡେ, ବିଧାନ ପରିଷଦ ବିରୋଧୀ ଦଳ ନେତା ଲାଲ ବିହାରୀ ଯାଦବ, ସପା ପ୍ରଦେଶ ଅଧ୍ୟକ୍ଷ ଶ୍ୟାମଲାଲ ପାଲ, ସାଂସଦ ହରେନ୍ଦ୍ର ମଲ୍ଲିକ, ରୁଚି ଭୀରା, ଇକରା ହସନ, ଜିଆଉର୍ରହମାନ ବର୍କ, ନୀରଜ ମୌର୍ଯ୍ୟ, ବିଧାୟକ କମଲ ଅଖତର, ରବିଦାସ ମେହରୋତ୍ରା, ନୱାବ ଇକବାଲ ମହମୁଦ ଏବଂ ପିଙ୍କି ସଂହ ଯାବେଦଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ସାମିଲ ଅଛନ୍ତି । ସେହିପରି ନ୍ୟାୟିକ ଯାଞ୍ଚ୍ ଟିମରେ ୩ ଜଣ ଗୁରୁତ୍ୱପୂର୍ଣ୍ଣ ଏବଂ ବରିଷ୍ଠ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଲେ ଆଇଏଏସ୍ ଅମିତ ମୋହନ ପ୍ରସାଦ, ଅବସର ପ୍ରାପ୍ତ ବିଚାରପତି ଡି କେ ଅରୋଡ଼ା ଏବଂ ଅବସରପ୍ରାପ୍ତ ଆଇପିଏସ୍ ଅରବିନ୍ଦ କୁମାର ଜେନ୍ ।