୧ ଟଙ୍କିଆ ଡ଼ାକ୍ତର ରାମଚନ୍ଦାନୀଙ୍କ ରାସ୍ତାରେ ସ୍ତ୍ରୀ, ଖୋଲିଲେ ଏକ ଟଙ୍କିଆ ଦନ୍ତ କ୍ଲିନିକ୍

ଏକ ଟଙ୍କାରେ ରୋଗୀ ସେବା। ସ୍ୱାମୀଙ୍କ ପରି ସ୍ତ୍ରୀ ମଧ୍ୟ କରିବେ ଏକ ଟଙ୍କାରେ ରୋଗୀ ସେବା।

ସମ୍ୱଲପୁର: ଗରିବମାନଙ୍କ ପାଇଁ ଖୁସି ଖବର। ଏଣିକି ଏକ ଟଙ୍କାରେ କରିପାରିବେ ଦନ୍ତ ଚିକିତ୍ସା। ଆଜିକାଲିର ଦିନରେ ଏକ ଟଙ୍କାର ମୂଲ୍ୟ କିଛି ନଥିବା ବେଳେ, ଏକ ଟଙ୍କାରେ ଖୋଲିଛି ଦନ୍ତ ଚିକିତ୍ସାଳୟ। ଯାହାକି ଏବେ ସବୁଠି ଚର୍ଚ୍ଚା ସାଉଁଟୁଛି। ପୂର୍ବରୁ ଚର୍ଚ୍ଚାରେ ଥିଲେ ଟଙ୍କିକିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର ରାମଚନ୍ଦାନୀ।

ଠିକ୍ ସେହିପରି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା ଡାକ୍ତର। ହେଲେ ଆପଣମାନେ ଜାଣିଛନ୍ତି କି ଏହି ମହିଳା ଡାକ୍ତର ଜଣକ କିଏ? ଯିଏକି ଟଙ୍କିକିଆ ଦନ୍ତ ଚିକିତ୍ସାଳୟ ଖୋଲି ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଚର୍ଚ୍ଚାରେ ଥିବା ଟଙ୍କିକିଆ ଡାକ୍ତରଙ୍କ ପତ୍ନୀ ଶିଖା ରାମଚନ୍ଦାନୀ।

ସ୍ୱାମୀଙ୍କ ରାସ୍ତାରେ ସ୍ତ୍ରୀ: ତେବେ ପୂର୍ବରୁ ଟଙ୍କିକିଆ ଡାକ୍ତର ଭାବରେ ଘରେ ଘରେ ପରିଚିତ ଥିଲେ ଟଙ୍କିକିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର ରାମଚନ୍ଦାନୀ। ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ମେଡିସିନ ବିଭାଗରେ ସହକାରୀ ପ୍ରାଧ୍ୟାପକ ଡକ୍ଟର ଶଙ୍କର ରାମଚନ୍ଦାନୀ ‘ଟଙ୍କିକିଆ କ୍ଲିନିକ୍’ ପାଇଁ ପ୍ରଶଂସା ସାଉଁଟୁଛନ୍ତି।

ଆଉ ଏବେ ସ୍ୱାମୀଙ୍କ ରାସ୍ତାକୁ ଆପଣାଇ ନେଇଛନ୍ତି ଡକ୍ଟର ରାମଚନ୍ଦାନୀଙ୍କ ପତ୍ନୀ ଶିଖା ରାମଚନ୍ଦାନ୍ଦୀ। ସେ ତାଙ୍କ ସ୍ୱାମୀଙ୍କ ଭଳି ରୋଗୀ ସେବା ଯୋଗାଇବାକୁ ୧ ଟଙ୍କାରେ ଡେଣ୍ଚାଲ କ୍ଲିନିକ୍ ଖୋଲିଛନ୍ତି।

ଚର୍ଚ୍ଚାରେ ୧ଟଙ୍କିଆ ଦନ୍ତ ଚିକିତ୍ସାଳୟ: ତେବେ ସ୍ୱାମୀଙ୍କ ଭଳି ସ୍ତ୍ରୀ ମଧ୍ୟ ଏବେ ସୁଲଭ ମୂଲ୍ୟରେ ରୋଗୀ ସେବା କରିବାକୁ ଆଗେଇ ଆସିଛନ୍ତି। ଶିଖା ରାମଚନ୍ଦାନୀ ଜଣେ ଦନ୍ତ ଚିକିତ୍ସକ ଏବଂ ପୂର୍ବରୁ ସମ୍ବଲପୁରର ଡିଭିଜନାଲ ରେଳ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ।

ଛଅ ବର୍ଷ ପୂର୍ବେ ସେ ତାଙ୍କ ଦୁଇ ଝିଅଙ୍କ ଯତ୍ନ ନେବା ପାଇଁ ଚାକିରି ଛାଡ଼ିଥିଲେ। ନିଜ ସଞ୍ଚୟରୁ ୩ ଲକ୍ଷ ଟଙ୍କା ବିନିଯୋଗ କରି ସେ ଭିମସାର ନିକଟରେ ଏହି କ୍ଲିନିକ୍ ପ୍ରତିଷ୍ଠା କରିଛନ୍ତି।

ଚିକିତ୍ସା ସୁବିଧା: ଏହି କ୍ଲିନିକରେ ସୁଲଭ ମୂଲ୍ୟରେ ଦନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି କ୍ଲିନିକ ପ୍ରତିଦିନ ସକାଳେ ତିନି ଘଣ୍ଟା ଖୋଲା ରହୁଛି, ଯେଉଁଠାରେ ଦାନ୍ତ ଫିଲିଂ, ଦାନ୍ତ ଉଠାଇବା ଓ ପରିଷ୍କାର କରିବା ଭଳି ସେବା ଉପଲବ୍ଧ ରହିଛି।

ଚେନ୍ନାଇର ଡକ୍ଟର ଏମଜିଆର ମେଡିକାଲ ୟୁନିଭରସିଟିରୁ ବିଡିଏସ ଡିଗ୍ରୀ ହାସଲ କରିଥିବା ଡକ୍ଟର ଶିଖା ଏବେ ସ୍ୱାମୀଙ୍କ ରାସ୍ତାକୁ ଅନୁସରଣ କରିଛନ୍ତି। ଆଉ ଏକ ଟଙ୍କାରେ ରୋଗୀଙ୍କ ସେବା କରିବାକୁ ମନସ୍ଥ କରିଛନ୍ତି।