fbpx

ଆପଣମାନେ ଜାଣନ୍ତି କି: ସଚିନ-ଧୋନୀ-ବିରାଟଙ୍କର ମୋଟ ସମ୍ପତ୍ତି ମିଶି ଯେତିକି, ତା’ଠାରୁ ବହୁ ଅଧିକ ଟଙ୍କାର ମାଲିକ ଅଟନ୍ତି ଜଣେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଭାରତରେ ବେଶ୍ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଥରେ ଜଣେ ଭଲ ଖେଳାଳି ହୋଇ ସୁନାମ ଅର୍ଜନ କରିବା ପରେ ଯଶ, କୀର୍ତ୍ତି ସାଙ୍ଗକୁ ଟଙ୍କାର ବର୍ଷା ହୋଇଥାଏ । ଭାରତରେ ଜଣେ ଷ୍ଟାର କ୍ରିକେଟର ବିଭିନ୍ନ କମ୍ପାନୀର ବ୍ରାଣ୍ଡା ଆମ୍ବାସଡର ରହିବା ସହ ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ପରି ଷ୍ଟାର କ୍ରିକେଟରମାନେ ଶହ ଶହ କୋଟିର ମାଲିକ ଅଟନ୍ତି ।

ଗତ ଏପ୍ରିଲ ମାସରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ସଚିନଙ୍କର ମୋଟ ସମ୍ପତ୍ତିର ପରିମାଣ ପାଖାପାଖି ୧୨୫୦ କୋଟି, ବିରାଟ କୋହଲିଙ୍କର ୧୦୫୦ କୋଟି, ଧୋନୀଙ୍କର ୧୦୪୦ କୋଟି, ସୌରଭ ଗାଙ୍ଗୁଲିଙ୍କର ୪୮୯ କୋଟି, ବିରେନ୍ଦ୍ର ସେହ୍ୱାଗଙ୍କର ୩୭୪ କୋଟି, ଯୁବରାଜ ସିଂହଙ୍କର ୨୯୧ କୋଟି ଓ ରୋହିତ ଶର୍ମାଙ୍କର ୨୧୬ କୋଟି ଅଟେ । ଟିମ୍ ଇଣ୍ଡିଆର ଅନେକ ପୂର୍ବତନ ଖେଳାଳି ଦେଶ ପାଇଁ ବହୁ ମ୍ୟାଚ ଖେଳିଥିବା ବେଳେ ଦଶନ୍ଧି ଦଶନ୍ଧି ପୂର୍ବେ କ୍ରିକେଟରୁ ଏତେ ଅଧିକ ଅର୍ଥ ମିଳୁନଥିଲା । ତେଣୁ ସେମାନେ ଏହି ରେସରେ ବୋଧହୁଏ ରହିବେ ନାହିଁ ।

ତେବେ ସଚିନ, ବିରାଟ ଓ ଧୋନୀ ହିଁ ଭାରତୀୟ କ୍ରିକେଟର ଭାବେ ସବୁଠାରୁ ଧନୀ ବୋଲି ଆପଣମାନେ ଭାବୁଥିବେ । ଆପଣମାନେ ଯଦି ଏପରି ଭାବୁଥାନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ୍ । ସଚିନ ଓ ଧୋନୀଙ୍କ ଠାରୁ ଅଧିକ ଧନୀ ଖେଳାଳି ମଧ୍ୟରେ ଆମ ଦେଶରେ ରହିଛନ୍ତି । ଜଣେ ପୂର୍ବତନ ଖେଳାଳିଙ୍କର ମୋଟ ସମ୍ପତ୍ତିର ପରିମାଣ ଆଗରେ ସଚିନ, ବିରାଟ କି ଧୋନୀ କିଛି ନୁହନ୍ତି । ଏପରିକି ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କର ମୋଟ ସମ୍ପତ୍ତିର ପରିମାଣ ଯେତିକି ଜଣେ ପୂର୍ବତନ କ୍ରିକେଟରଙ୍କର ମୋଟ ଆୟ ତା’ଠାରୁ କାହିଁ କେତେ ଅଧିକ । ଆପଣମାନେ ଏହି କଥାକୁ ବିଶ୍ୱାସ ନକଲେ ବି ତାହା ସତ ଅଟେ ।

ପ୍ରକୃତ କଥା ହେଉଛି, ପୂର୍ବତନ ଭାରତୀୟ କ୍ରିକେଟର ସମରଜିତସିଂ ରଞ୍ଜିତସିଂ ଗାଏକୱାଡ ହଜାର ହଜାର କୋଟି ଟଙ୍କାର ମାଲିକ । ସମରଜିତସିଂ ହେଉଛନ୍ତି ଜଣେ ପୂର୍ବତନ ରଣଜୀ ଖେଳାଳି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ୨୦ ହଜାର କୋଟିରୁ ଅଧିକ । ତାଙ୍କ ପିତାଙ୍କ ଦେହାନ୍ତ ପରେ ୨୦୧୨ରେ ଲକ୍ଷ୍ମୀ ବିଳାସ ପ୍ୟାଲେସରେ ସେ ବରୋଦାର ମହାରାଜ ମୁକୁଟ ପରିଧାନ କରିଥିଲେ । ଲକ୍ଷ୍ମୀ ବିଳାସ ପ୍ୟାଲେସ ଭାରତର ସବୁଠାରୁ ବଡ଼ ଘରୋଇ ରେସିଡେନ୍ସ ଭାବେ ପରିଗଣିତ । ଗୁଜରାଟ ଓ ବନାରସରେ ସମରଜିତସିଂ ୧୭ଟି ମୁଖ୍ୟ ମନ୍ଦିରର ମନ୍ଦିର ଟ୍ରଷ୍ଟକୁ ପରିଚାଳନା କରୁଛନ୍ତି ।

୧୯୬୭ ମସିହା ଏପ୍ରିଲ ୨୫ରେ ଜନ୍ମଗ୍ରହଣ କରିଥିବା ସମରଜିତସିଂ ହେଉଛନ୍ତି ତାଙ୍କ ପିତାଙ୍କର ଏକମାତ୍ର ପୁତ୍ର । ସେ ଡେରାଡୁନର ଡୁନ ସ୍କୁଲରୁ ଶିକ୍ଷା ସମାପ୍ତ ପରେ କ୍ରୀଡ଼ା ପ୍ରତି ଆକୃଷ୍ଟ ହୋଇଥିଲେ । ସେ ଜଣେ ଟପ୍ ବ୍ୟାଟର ଓ ବରୋଦା ପକ୍ଷରୁ ୧୯୮୭/୮୮ ଓ ୧୯୮୮/୮୯ ସିଜିନରେ ରଣଜୀ ଟ୍ରଫି ଖେଳିଥିଲେ । କ୍ରିକେଟରୁ ଅବସର ଗ୍ରହଣ ପରେ ସେ ବରୋଦା କ୍ରିକେଟ ଆସୋସିଏସନର ସଭାପତି ପଦ ସମ୍ଭାଳିଥିଲେ ।

Get real time updates directly on you device, subscribe now.