ନୂଆଦିଲ୍ଲୀ:ବିଦେଶୀଙ୍କୁ ଭାରତୀୟ ବଜାର ଖୁବ୍ ପସନ୍ଦ ଆସୁଛି । ଲଗାତର ୫ମ ସପ୍ତାହରେ ଆଜି ବିଦେଶୀ ମୁଦ୍ରା ଭଣ୍ଡାର ((Forex Reserve of India) କ୍ଷେତ୍ରରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି ଓ ଏବେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଅଲ୍ ଟାଇମ୍ ହାଇ ସ୍ତରରେ ପହଞ୍ଚି ଯାଇଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୪୦ ମିଲିୟନ ଡଲାର ବୃଦ୍ଧି ପରିଲକ୍ଷିତ ହୋଇଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି, ୨୨ ମାର୍ଚ୍ଚ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୧୪ କୋଟି ଡଲାର ବୃଦ୍ଧି ପାଇ ୬୪୨.୬୩୧ ଅରବ ଡଲାରରେ ପହଞ୍ଚି ଯାଇଛି ଯାହା ଏକ ଐତିହାସିକ ରେକର୍ଡ । ଏହାର ଠିକ୍ ଏକ ସପ୍ତାହ ପୂର୍ବରୁ ବିଦେଶୀ ମୁଦ୍ରା ଭଣ୍ଡାରରେ ୬.୩୯୬ ଅରବ ଡଲାରର ରେକର୍ଡ ବୃଦ୍ଧି ଘଟିଥିଲା ଓ ବିଦେଶୀ ମୁଦ୍ରା ଭଣ୍ଡାର ୬୪୨.୪୯୨ ଅରବ ଡଲାରରେ ପହଞ୍ଚି ଯାଇଥିଲା ।
ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ଭାରତୀୟ ବଜାର ପ୍ରତି ବିଦେଶୀ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଉଥିବାର ସଂକେତ ଅଟେ । ଏହି ବିଦେଶୀ ମୁଦ୍ରା ଭଣ୍ଡାରରେ ଡଲାର ବ୍ୟତିତ ପାଉଣ୍ଡ, ୟୁରୋ ଓ ୟେନ୍ ପରି ମୁଦ୍ରା ବି ସାମିଲ ରହିଛି ।