fbpx

ନୃଶଂସ ସ୍ୱାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀ ଓ ପିଲାଙ୍କୁ କୂଅକୁ ଠେଲିଦେଇ ଫେରାର୍

ଛତ୍ରପୁର(ଓଡ଼ିଶା ଭାସ୍କର): ପୁଅ ସନ୍ତାନ ଲୋଭରେ ସ୍ୱାମୀ ସାଜିଲା ରାକ୍ଷସ । ସ୍ତ୍ରୀର ପୁଅ ଜନ୍ମ ନହେବାରୁ ରାଗିଯାଇ ପତ୍ନୀ ଏବଂ ଦୁଇ ଝିଅକୁ କୂଅ ଭିତରକୁ ଠେଲି ଦେଲା ନୃଶଂସ ସ୍ୱାମୀ । ଏଥିରେ ଜଣେ ଆଠ ବର୍ଷର ଝିଅର ମୃତ୍ୟୁ ହୋଇଯାଇଥିବା ବାକି ସମସ୍ତେ ବଞ୍ଚିଯାଇଛନ୍ତି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ।

ରବିବାର ଛତ୍ରପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଚାନ୍ଦ ପୋଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି । ଉକ୍ତ ପୋଲିସ୍ ଷ୍ଟେସନର ତଦନ୍ତକାରୀ ଅଧିକାରୀ ସବ୍-ଇନ୍ସପେକ୍ଟର ରାଜେନ୍ଦ୍ର ସିଂ ଗଣମାଧ୍ୟମକୁ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତ ସ୍ୱାମୀର ସ୍ତ୍ରୀ ପୋଲିସକୁ କହିଥିଲେ ଯେ, ତିନିମାସ ତଳେ ତାଙ୍କ ଝିଅ ହେବାରୁ ସ୍ୱାମୀ ରାଜା ଭାୟା ଯାଦବ ତାଙ୍କୁ ନାନା ନିର୍ୟାତନା ଦେବା ସହ ମାରପିଟ୍ କରୁଥିଲେ । ତେଣୁ ନିର୍ଯ୍ୟାତନା ସହି ନ ପାରି ଝିଅମାନଙ୍କୁ ନେଇ ବାପଘରକୁ ଚାଲିଯାଇଥିଲେ । ଶନିବାର ଦିନ ଅଭିଯୁକ୍ତ ସ୍ୱାମୀ ରାଜା, ପତ୍ନୀ ଏବଂ ୨ ଝିଅକୁ ମୋଟର ସାଇକେଲ ଯୋଗେ ଘରକୁ ଫେରାଇ ଆଣିବା ସମୟରେ ରାସ୍ତାରେ ସେ ସ୍ତ୍ରୀକୁ ଓ ଝିଅଙ୍କୁ ବହୁତ ଗାଳି ମନ୍ଦ କରିଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବାରୁ ରାଗିଯାଇ ଗାଁ ଠାରୁ ୩,୪ କିଲୋମିଟର ଦୂର କ୍ଷେତକୁ ମୋଟର ସାଇକେଲ ନେଇ ସେଠାରେ ଅଟକାଇଥିଲେ । ଆଉ ସେଠାରେ ଥିବା ଏକ କୂଅକୁ ମାଆ ଓ ଝିଅଙ୍କୁ ଠେଲିଦେଇଥିଲେ ।

ଏହି ଘଟଣାରେ ତାଙ୍କର ଆଠ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ମହିଳା ଜଣକ ଦ୍ୱିତୀୟ ସନ୍ତାନକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । କୂଅରେ ପଡିଥିବା ସମୟରେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କ ଉପରକୁ ପଥର ମାରିଥିଲେ । ଯାହାଫଳରେ ମହିଳାଙ୍କ ମୁଣ୍ଡ ଫାଟିଯାଇଥିଲା । ଏହାପରେ ମହିଳାଙ୍କ ପାଟି ଶୁଣି ବିଲରେ କାମ କରୁଥିବା ଗ୍ରାମବାସୀ ମାନେ କୂଅରୁ ବାହାରିବା ପାଇଁ ସାହାଯ୍ୟ କରିଥିଲେ । ତେବେ କୂଅକୁ ଠେଲିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର୍ ହୋଇଯାଇଛି । ଏବେ ତାଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ।

 

Get real time updates directly on you device, subscribe now.