ରାଜସ୍ଥାନ: ମା’ର ସ୍ନେହ ଅତୁଟ । ଅସରନ୍ତି ତା ମମତା । ଆଉ ତା ଭଲ ପାଇବା ଆଗରେ ହାର ମାନିପାରେ ତ୍ରିଭୂବନର ଯେ କୌଣସି ଶକ୍ତି । ସନ୍ତାନ ପାଇଁ ଯିଏ ଉତ୍ସର୍ଗ କରିଦିଏ ତା ଜୀବନ, ସେ ମା’ । ଯିଏ ଚାତକ ପରି ସବୁଦିନ ସବୁବେଳେ ସନ୍ତାନର ଫେରିବା ବାଟକୁ ଚାହିଁ ରହିଥାଏ । ଇଏ ଠିକ ସେମିତି ଜଣେ ମା । ଆଖିରେ ଲୁହ ଆଉ ଛାତିରେ ଅସୁମାରୀ କୋହ ନେଇ ଯିଏ ଅପେକ୍ଷା କରିଛି ତା ସନ୍ତାନର ଫେରିବା ବାଟକୁ । ସେ ବି ଗୋଟିଏ ଶ୍ମଶାନରେ । କେବେ କୋଳକୁ ଫେରିବ ତା’ ନୟନ ପିତୁଳା । ଏକଥା ଭାବି ଶୁଖୁନି ଏ ମା ଆଖିର ଲୁହ । କାରଣ ତା ପୁଅ ୧୫ ବର୍ଷ ତଳେ ମୃତ୍ୟୁର କୋଳକୁ ଚାଲି ଯାଇଛି ।
ଘଟଣା ହେଉଛି ରାଜସ୍ଥାନର ଶିକର ଗାଁର । ଏବେ ଏହି ଶ୍ମଶାନ ପାଲଟିଛି ଏହି ବୁଢୀମାର ଠିକଣା । ଗତ ୧୫ ବର୍ଷରୁ ଏହି ଶ୍ମଶାନରେ ତା ଛଳ ଛଳ ଦୁଇ ଆଖି ଚାହିଁ ରହିଛି ପୁଅ ଇନ୍ଦ୍ରର ଫେରିବା ବାଟକୁ । ଯିଏ ଆଉ କେବେ ବି ଫେରିବନି । ପୁଅର ଶ୍ମଶାନ ଆଗରେ ଠିଆ ହୋଇ ସବୁବେଳେ ପଚାରେ କେଉଠି ଅଛୁ ରେ ଧନ, କେବେ ଫେରିବୁ ? ପୁଅର ମୃତ୍ୟୁ ପରଠୁ ଶ୍ମଶାନକୁ ନିଜ ଘର କରି ନେଇଛି ରାଜୁର ମା’ । ୧୫ ବର୍ଷ ତଳେ ୨୦୦୮ରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଆଖି ବୁଜିଥିଲା ଇନ୍ଦ୍ର । ଶେଷ ଥର ପାଇଁ ପୁଅର ମୁହଁ ବି ଦେଖି ପାରିଲାନି ମା’ । ଯାହାର ଦୁଃଖ ଏବେ ମା’ ମନରେ ଘାଣ୍ଟ ହେଉଛି । କାହାକୁ କେତେ କାକୁତି ମିନତୀ ହେଇଛି, ହେଲେ କେହି ପୁଅ ସହ ତାକୁ ଦେଖା କକରାଇ ପାରି ନାହାନ୍ତି । ଯେଉଁ ହାତରେ ତାକୁ କୋଳେଇ କାଖେଇ ବଡ କରିଥିଲା, ସେହି ହାତରେ ଇନ୍ଦ୍ରର ଅନ୍ତିମ ସଂସ୍କାର କରିଛି । ତା ପରଠୁ ସତେ ଯେମିତି ପଥର ପାଲଟି ଯାଇଛି ବୁଢୀମା । ସେହି ଶ୍ମଶାନରେ ପୁଅ ପାଖରେ ରହି ତା ଫେରିବା ବାଟକୁ ଚାହିଁ ରହିଛି । କେବେ ଫେରିବ ତା ଗେହ୍ଲାପୁଅ ଆଉ ଡାକିବ ମା ବୋଲି । ସେହି ଆଶାରେ ଦିନ ଦିନ ବର୍ଷ ବର୍ଷ ବିତାଇ ଚାଲିଛି ।
ପୁଅର ମୃତ୍ୟୁ ପରେ ସମେତ ଯେମିତି ଶେଷ ହୋଇଯାଇଛି ଏହି ମା’ର ଦୁନିଆ । ଲୋକେ କୁହନ୍ତି ଯେବେ ବି ଏଠାକୁ କେହି ଅନ୍ତିମ ସଂସ୍କାର ପାଇଁ ଆସନ୍ତି ବୁଢୀମା’କୁ ଦେଖନ୍ତି । ପୁଅର ସମାଧି କୋଳରେ ମୁଣ୍ଡ ରକି ଆଖିରୁ ଲୁହ ଝରାଉଥାଏ । କାଠ ଯୋଗାଇ ଦେବାଠୁ ଆରମ୍ଭ କରି ଶେଷିଲାକୁ ପାଣି ପିଆଇବା ପର୍ଯ୍ୟନ୍ତ ଲୋକମାନଙ୍କୁ ବହୁତ ସାହାଯ୍ୟ କରେ ବୁଢୀମା’ । କିନ୍ତୁ ବଦଳରେ କେହି ତା ଦୁଃଖକୁ ଦୂର କରି ପାରନ୍ତିନି । କେହି ଫେରାଇ ପାରନ୍ତିନି ତା ଅଫେରା ଇନ୍ଦ୍ରକୁ ।