fbpx

ସମ୍ବିଧାନରେ ଯୋଡି ହେବ ନୂଆ ଅଧ୍ୟାୟ, ଆଗାମୀ ଦିନରେ ଏକ ସଙ୍ଗେ ହେବ ସମସ୍ତ ନିର୍ବାଚନ

Advertisement

ନୂଆଦିଲ୍ଲୀ:ବିଧି ଆୟୋଗ ବା ଲ’ କମିଶନ ସମ୍ବିଧାନରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କୁ ନେଇ ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛନ୍ତି ଓ ୨୦୨୯ ମଧ୍ୟଭାଗ ସୁଦ୍ଧା ଦେଶରେ ଲୋକସଭା, ରାଜ୍ୟ ବିଧାନସଭା ଓ ସ୍ଥାନୀୟ ଗଣତାନ୍ତ୍ରିକ ସଂସ୍ଥାରେ ଏକ ସମୟରେ ନିର୍ବାଚନ କରିବାର ପ୍ରକ୍ରିୟା ଲାଗି ସୁପାରିଶ କରିପାରନ୍ତି । ବିଶେଷ ସୂତ୍ରରୁ ଜଣାଯାଇଛି କି ଅବସରପ୍ରାପ୍ତ ବିଚାରପତି ଋତୁରାଜ ଅବସ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଗ ଏକ ସଙ୍ଗେ ନିର୍ବାଚନ ଉପରେ ନୂଆ ଅଧ୍ୟାୟ ଯୋଡିବାକୁ ସମ୍ବିଧାନରେ ସଂଶୋଧନର ସୁପାରିସ କରିପାରନ୍ତି ।

ଆୟୋଗ ଆଗାମୀ ୫ ବର୍ଷରେ ୩ ପର୍ଯ୍ୟାୟରେ ବିଧାନସଭାର କାର୍ଯ୍ୟକାଳ ଏକ ସଙ୍ଗେ କରିବାକୁ ବି ସୁପାରିସ କରିବେ । ଫଳରେ ସାରା ଦେଶରେ ପ୍ରଥମ ଥର ଉନବିଂଶ ଲୋକସଭା ନିର୍ବାଚନ ସହିତ ଏକ ସମୟରେ ନିର୍ବାଚନ ମେ’-ଜୁନ୍ ୨୦୨୯ରେ ହୋଇପାରିବ । ଏହାଦ୍ୱାରା ଏବେର ତ୍ରିସ୍ତରୀୟ ନିର୍ବାଚନ ଏକ ସଙ୍ଗେ ଗୋଟିଏ ଥରରେ ହିଁ ହୋଇପାରିବ । ଏହାସହିତ ବିଧାନସଭା ସର୍ତ୍ତ ସମ୍ବନ୍ଧିତ ଅନ୍ୟ ଏକ ପ୍ରାବଧାନକୁ ହଟାଇବାକୁ ମଧ୍ୟ ସୁପାରିସ କରାଯାଇଛି । ଏହା ଫଳରେ ଯଦି କୌଣସି ସରକାର ଅବିଶ୍ୱାସ କାରଣରୁ ଭାଙ୍ଗିଯିବ କିମ୍ବା ତ୍ରିଶଙ୍କୁ ଅବସ୍ଥା ଉପୁଜେ ତେବେ ବିଧି ଆୟୋଗ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକତା ସରକାର ଗଠନ ଲାଗି ସୁପାରିସ କରିବ । ଯଦି ଏହି ଏକତା ସରକାର ସିଦ୍ଧାନ୍ତ କାମ କରିବ ନାହିଁ ତେବେ ବିଧି ଆୟୋଗ ଗୃହର ଶେଷ କାର୍ଯ୍ୟକାଳ ଲାଗି ପୁଣି ନୂଆ କରି ନିର୍ବାଚନ କରିବା ପାଇଁ ସୁପାରିସ କରିବ ।

ବିଧି ଆୟୋଗ ବ୍ୟତିତ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମିତି ମଧ୍ୟ ଏକ ରିପୋର୍ଟ ଉପରେ ମଧ୍ୟ କାମ କରୁଛି କିପରି ସମ୍ବିଧାନ ଓ ପ୍ରଚଳିତ ଆଇନ ଢାଞ୍ଚାରେ ପରିବର୍ତ୍ତନ କରି ଲୋକସଭା, ରାଜ୍ୟ ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ଲାଗି ଏକ ସଙ୍ଗେ ନିର୍ବାଚନ କରାଯାଇପାରିବ ।

Get real time updates directly on you device, subscribe now.