ପୁରୀ(ଓଡ଼ିଶା ଭାସ୍କର): ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ବାହାରିଥିବା ସୂଚନା ମିଳିଛି । ତେବେ ଖନନ ବେଳେ ବିରଳ ସିଂହ ମୂର୍ତ୍ତିଟି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଜିପିଆରଏସ ହୋଇ ନଥିବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି ।
ତେବେ ଏମାର ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ଭିତରୁ ଗୋଟିଏ । କୁହାଯାଏ ସନ୍ଥ ରାମାନୁଜ ପ୍ରଥମେ ସ୍ୱର୍ଗଦ୍ୱାରରେ ଛତା ପୋତି ରହିଥିଲେ । ତାପରେ ସେଠାରେ ସେ ମଠ କରିଥିଲେ । ଏହା ପରେ ବର୍ତ୍ତମାନର ଏମାର ମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଲେ । ସେହି ଛତାରୁ ସେଠାରେ ଏମାର ମଠ ହେଲା । ବିବାଦୀୟ ଭାବେ, ୨୦୧୧ ମସିହାରେ ଏଠାରେ ୯୦ କୋଟି ଟଙ୍କା ମୁଲ୍ୟର ୫୨୨ଟି ରୂପା ଦଣ୍ଡି (୧୮ କିଗ୍ରା) ମିଳିଥିଲା ।
ଏହା ସହ ମଠରେ ଅଧିକ ମୂଲ୍ୟବାନ ଧାତୁ ରହିଥିବା ଅନୁମାନ କରାଯାଉଛି । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସମୁଖରେ ଦଣ୍ଡାୟମାନ ହୋଇ ରହିଥିବା ଏହି ମଠକୁ ୨୦୧୯ ମସିହାରେ ଉଚ୍ଛେଦ କରାଯାଇଥିଲା । ସେ ସମୟରେ ମଠରେ କିଛି ଗୁପ୍ତ କୋଠରୀ ଥିବା ଜଣାପଡ଼ିଥିଲା । ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଏହି ମଠ ହିଁ ଲୋକଙ୍କୁ ଦାନା ଯୋଗାଇଥିବା କୁହାଯାଉଛି ।