୯ ବର୍ଷ ହେଲା ହାତ ତଳକୁ କରି ନାହାନ୍ତି ଅଦ୍ଭୁତ ବାବା, ନଖ ବଢ଼ି ଛନ୍ଦି ହେଲାଣି

ଶରୀରରେ ବାମ ହାତ ଥାଇ ମଧ୍ୟ ନ ଥିଲା ପରି, ସଂସାରର ମଙ୍ଗଳ କାମନା କରି ହଠଯୋଗ କରୁଛନ୍ତି ମହାକାଳ ଗିରି ଅଦ୍ଭୁତ ।

ପ୍ରୟାଗରାଜ: ଅଳ୍ପ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳା । ଯାହାକୁ ନେଇ ସରକାର ଓ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି । ମେଳାରେ ସାମିଲ ହେବା ଲାଗି ଦେଶର କୋଣ ଅନୁକୋଣରୁ ବାବା, ଯୋଗୀ ଓ ସନ୍ଥ ଆସି ପହଞ୍ଚିଗଲେଣି ପ୍ରୟାଗରାଜରେ ।

ବିଭିନ୍ନ ପ୍ରକାର ବାବା କୁମ୍ଭ ମେଳା ପାଇଁ ପ୍ରୟାଗରାଜ ଆସିବାରେ ଲାଗିଛନ୍ତି । ଏ ଭିତରେ କ୍ୟାମେରା ଖୋଜି ଖୋଜି ଯାଇ ପହଞ୍ଚିଥିଲା ମହନ୍ତ ମହାକାଲ୍ ଗିରି ଅଦ୍ଭୁତ ବାବାଙ୍କ ନିକଟରେ ।

ମହାକାଲ ଗିରି ଅଦ୍ଭୁତ ବାବା ଦୀର୍ଘ ୯ ବର୍ଷ ହେବ ନିଜ ବାମ ହାତକୁ ଟେକି ରଖିଛନ୍ତି । ବାବା ହଟ ଯୋଗ କରୁଥିବା କୁହାଯାଉଛି । ବାମ ହାତ ଗୋଟିଏ ନିର୍ଦ୍ଧିଷ୍ଟ ଭଙ୍ଗିରେ ହିଁ ଉପରକୁ ଟେକା ହୋଇ ରହିଛି । ହାତ ଅଙ୍ଗୁଳି ନଖ ସବୁ ବଡ଼ ବଡ଼ ହୋଇ ପରସ୍ପର ଭିତରେ ଛନ୍ଦା ଛନ୍ଦି ହେଲେଣି । କିନ୍ତୁ ଅଦ୍ଭୁତ ବାବା ହାତକୁ ସେମିତି ଉପରକୁ ଟେକି ରଖିଛନ୍ତି । ଆଜୀବନ ନିଜ ହାତକୁ ଏପରି ଟେକି ରଖିବା ପାଇଁ ବାବା ସଂକଳ୍ପ ନେଇଛନ୍ତି ।

ତାଙ୍କ କହିବା ଅନୁସାରେ ସେ କରୁଥିବା ହଠଯୋଗ ଗୋ ମାତାର କଲ୍ୟାଣ ପାଇଁ । ସଂସାରରେ ଗୋମାତା ଖୁବ୍ ଯନ୍ତ୍ରଣା ପାଉଛି । ଖାଇବାକୁ ନ ପାଇ ଏଣେତେଣେ ବୁଲୁଛି । ଏସବୁ ସମସ୍ୟାର ସମାଧାନ କରିବା ପାଇଁ ଅଦ୍ଭୁତ ବାବା ଏପରି କରିଥିବା କହିଛନ୍ତି ।