ମରିଗଲା ମଣିଷପଣିଆ, ଜୀବନ ବଞ୍ଚାଇବା ବଦଳରେ ଲୁଟିନେଲେ କୁକୁଡ଼ା
ଡ୍ରାଇଭରକୁ ବଞ୍ଚାଇବା ପରିବର୍ତ୍ତେ କୁକୁଡ଼ା ଲୁଟିନେଲେ ଲୋକେ
ଛତିଶଗଡ଼: ଅଜବ ଲୋକ! ରାସ୍ତାରେ ଗାଡି ଓଲଟିଲା, ଡ୍ରାଇଭରକୁ ବଞ୍ଚାଇବା ବଦଳରେ ଲୋକେ ଗାଡ଼ିରେ ଥିବା କୁକୁଡ଼ା ଚୋରି କରି ନେଇଗଲେ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ବେମେତାରା ଜିଲ୍ଲାରେ।
ନିୟନ୍ତ୍ରଣ ହରାଇ ଓଲଟି ପଡିଲା ଗାଡି: ସାଧାରଣତଃ ଆପଣ, ରାସ୍ତାରେ କୌଣସି ଗାଡି ନିୟନ୍ତ୍ରଣ ହରାଇ ଓଲଟି ପଡିବା ସମୟରେ ଲୋକେ ଡ୍ରାଇଭର କିମ୍ବା ସେଥିରେ ଥିବା ଲୋକଙ୍କୁ ବଞ୍ଚେଇବା ପାଇଁ ସେଠାରେ ରୁଣ୍ଡ ହେଉଥିବାର ଦେଖିଥିବେ।
କିନ୍ତୁ ଏଠାରେ କୁକୁଡ଼ା ବୋଝେଇ ଟ୍ରକ ଓଲଟିବା ପରେ ଲୋକେ ଡ୍ରାଇଭରକୁ ବଞ୍ଚାଇବା ବଦଳରେ କୁକୁଡ଼ା ଚୋରି କରି ନେବା ପାଇଁ ରୁଣ୍ଡ ହୋଇଗଲେ। ଆଉ ସବୁ କୁକୁଡ଼ା ଲୁଟିନେଇ ମଧ୍ୟ ଚାଲିଗଲେ।
କୁକୁଡ଼ା ଚୋରି ପାଇଁ ଗହଳି: ଲୋକେ କୁକୁଡ଼ା ଲୁଟିବା କାମରେ ଏତେ ବ୍ୟସ୍ତ ଥିଲେ ଯେ, ସେମାନେ ଡ୍ରାଇଭରକୁ ସାହାର୍ଯ୍ୟ ମଧ୍ୟ କଲେ ନାହିଁ। ଶହ ଶହ ଗାଁ ଲୋକଙ୍କ ଦ୍ୱାରା ହଜାର ହଜାର କୁକୁଡ଼ା ଲୁଟ୍ କରାଯାଇଥିଲା। ଯାହାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ଏହି ମାମଲାକୁ ନେଇ ଡ୍ରାଇଭର କହିଛନ୍ତି ଯେ, ସେ କୁକୁଡ଼ା ଧରି ଏକ ଫାର୍ମକୁ ଯାଉଥିଲେ। ଏହି ସମୟରେ ଗାଡ଼ିଟି ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡ଼ିଲା। ଏହି ସମୟରେ ଗାଁ ଲୋକେ କୁକୁଡ଼ାଗୁଡ଼ିକୁ ଲୁଟି ନେଇଗଲେ।