fbpx

ଜଣେ ପୁରୁଷ ଅପେକ୍ଷା ଜଣେ ମହିଳା ୧୧ ମିନିଟ ଅଧିକ ଶୋଇବା ଉଚିତ୍: ଜାଣନ୍ତୁ କାହିଁକି ଏପରି କହିଲେ ବିଶେଷଜ୍ଞ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତ ବୟସର ଲୋକଙ୍କ ମଧ୍ୟରେ ଭଲ ନିଦର ଅଭାବ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଚିନ୍ତା ଭାବରେ ଦେଖା ଦେଇଛି । କାରଣ ନିଦର ଅଭାବ କାରଣରୁ ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ । ତେବେ ଭଲ ନିଦ ଯେ କେବଳ ଆପଣଙ୍କ ଶରୀର ପାଇଁ ଲାଭଗାୟକ ତାହା ନୁହେଁ ବରଂ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଜରୁରୀ ଅଟେ । ତେଣୁ ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରତିଦିନ ଅତି କମରେ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ରାମ ନେବା ଆବଶ୍ୟକ । କିନ୍ତୁ ପୁରୁଷ ତୁଳନାରେ ମହିଳାମାନେ ଅଧିକ ଶୋଇବା ଆବଶ୍ୟକ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର କାରଣ ।

ଏହି କାରଣରୁ ମହିଳାମାନେ ଅଧିକ ଶୋଇବା ଜରୁରୀ: ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ବୟସ ନୁହେଁ, ବରଂ ଲିଙ୍ଗ ମଧ୍ୟ ଆପଣଙ୍କ ପାଇଁ କେତେ ନିଦ ଯଥେଷ୍ଟ ତାହା ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ବିଶେଷଜ୍ଞମାନଙ୍କ ମତରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଶୋଇବା ଆବଶ୍ୟକ । କାରଣ ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଥାଏ, ଯେଉଁଥିପାଇଁ ସେମାନେ ସୁସ୍ଥ ହେବା ପାଇଁ ରାତିରେ ଅଧିକ ଶୋଇବା ଆବଶ୍ୟକ କରିଥାନ୍ତି । ଏତତ୍ ବ୍ୟତୀତ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ହରମୋନାଲ ପରିବର୍ତ୍ତନ ଅଧିକ ପରିମାଣରେ ହୋଇଥାଏ । ଯେଉଁ କାରଣରୁ ସେମାନଙ୍କ ଶରୀର ଅଧିକ ଥକିପଡେ । ତେଣୁ ପୁରଷମାନଙ୍କ ଅପେକ୍ଷା ସେମାନଙ୍କୁ ଅଧିକ ବିଶ୍ରାମ ଆବଶ୍ୟକ ହୋଇଥାଏ ।

କେତେ ସମୟ ଅଧିକ ଶୋଇବା ଆବଶ୍ୟକ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଜଣେ ପୁରୁଷ ଅପେକ୍ଷା ଜଣେ ମହିଳା ୧୧ ମିନିଟ ଅଧିକ ଶୋଇବା ଉଚିତ୍ । ଏହି ୧୧ ମିନିଟ୍ ହିଁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ମହିଳାମାନେ ପୁରୁଷମାନଙ୍କ ଠାରୁ ସେତିକି ସମୟ ଅଧିକ ଶୋଇବା ଆବଶ୍ୟକ । ତେବେ ଯଦି ଜଣେ ପୁରୁଷ ୭ ରୁ ୮ ଘଣ୍ଟା ଶୋଇଥାଏ ତାହାଲେ ଜଣା ମହିଳା ୭ ଘଣ୍ଟା ୧୧ ମିନିଟ୍ କିମ୍ବା ୮ ଘଣ୍ଟା ୧୧ ମିନିଟ ଶୋଇବା ଆବଶ୍ୟକ ।

ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ, ୧୯ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଅତି କମରେ ୭ ଘଣ୍ଟା ଶୋଇବା ଆବଶ୍ୟକ । ଯେତେବେଳେ କି ୧୩ ରୁ ୧୮ ବର୍ଷ ବୟସର ଲୋକମାନେ ୮ ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ କରନ୍ତି । ଏତତ୍ ବ୍ୟତୀତ ୬ ରୁ ୧୨ ବର୍ଷ ବୟସର ପିଲାମାନେ ୯ ରୁ ୧୨ ଘଣ୍ଟା ଶୋଇବା ଉଚିତ୍ । ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ଅଳ୍ପ ବୟସରେ ଅଧିକ ଶୋଇବା ଆବଶ୍ୟକ, କାରଣ ହେଉଛି ଏହି ବର୍ଷଗୁଡ଼ିକରେ ଶରୀରର ବିକାଶ ହୋଇଥାଏ । ତେଣୁ ମାନସିକ ସୁସ୍ଥତା ଏବଂ ଶାରିରୀକ ବିକାଶ ପାଇଁ ଅଧିକ ଶୋଇବା ଏବଂ ଭଲ ନିଦ ହେବା ନିତ୍ୟାନ୍ତ ଜରୁରୀ ।

Get real time updates directly on you device, subscribe now.