ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଆଧାର କାର୍ଡ ମାଗଣା ଅପଡେଟ୍ ପାଇଁ ଡିସେମ୍ବର ୧୪ ତାରିଖ ରହିଥିବା ଏବେ ଉକ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି ସମୟସୀମାକୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ଏଣିକି ଆଧାର କାର୍ଡ ୟୁଜର୍ସ ଆସନ୍ତା ବର୍ଷ ଜୁନ୍ ମାସ ୧୪ ତାରିଖ ପର୍ଯ୍ୟନ୍ତ ନିଜ ନିଜର ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିପାରିବେ । ୟୁଆଇଡିଏଆଇ ତରଫରୁ ଏନେଇ ସୂଚନା ଜାରି କରାଯାଇଛି ।
ଏନେଇ ୟୁଆଇଡିଏଆଇ ତରଫରୁ କୁହାଯାଇଛି, ଆସନ୍ତା ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଅନଲାଇନ ଦସ୍ତାବିଜ୍ ଅପଲୋଡ୍ ସୁବିଧାକୁ ବୃଦ୍ଧି କରାଯାଇଛି । ଲୋକଙ୍କୁ ନିଜ ନିଜର ଆଧାର କାର୍ଡ ଡକ୍ୟୁମେଣ୍ଟ ଅପଡେଟ୍ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଆଧାରକାର୍ଡ ଧାରୀଙ୍କ ହିତସାଧନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ୟୁଆଇଡିଏଆଇ ତରଫରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆଧାର କାର୍ଡ ମାଗଣା ଅପଡେଟ୍ ସମୟସୀମା ପୂର୍ବରୁ ବୃଦ୍ଧି କରାଯାଇଥିବାରୁ ଏଥର ଡିସେମ୍ବର ୧୪ରେ ଆଉ ଅବଧିକ ବୃଦ୍ଧି କରାଯିବ ନାହିଁ ବୋଲି ଅନୁମାନ କରାଯାଉଥିଲା । ମାତ୍ର ୟୁଆଇଡିଏଆଇ ଆଧାର କାର୍ଡଧାରୀଙ୍କ ପାଇଁ ପୁଣି ଥର ମାଗଣା ଅପଡେଟ୍ ଅବଧିକୁ ବୃଦ୍ଧି କରିଛି । ଆପଣମାନେ ୟୁଆଇଡିଏଆଇ ୱେବସାଇଟକୁ ଯାଇ ନିଜର ଆଧାର ବିବରଣୀକୁ ଫ୍ରି’ରେ ଅପଡେଟ୍ କରିପାରିବେ । ଯଦି ଆପଣଙ୍କର ଆଧାର ୧୦ ବର୍ଷ ବା ତା’ଠାରୁ ଅଧିକ ସମୟ ପୂର୍ବରୁ କରାଯାଇଛି, ତେବେ ତାହାକୁ ଅପଡେଟ୍ କରିବା ନିହାତି ଜରୁରୀ ବୋଲି କୁହାଯାଇଛି । ଏଥିପାଇଁ ଆପଣମାନେ ପ୍ରଥମେ https://myaadhaar.uidai.gov.in/%20 ପୋର୍ଟାଲକୁ ଯାଇ ସେଠାରେ ଆଧାର ନମ୍ବର ଓ ପଞ୍ଜୀକୃତ ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ସହିତ ପ୍ରାମାଣୀକରଣ କରିବେ । ତା’ପରେ ନାମ, ଠିକଣା ଓ ଅନ୍ୟାନ୍ୟ ତଥ୍ୟ ଅପଡେଟ୍ କରିପାରିବେ ।
#UIDAl extends free online document upload facility till 14th June 2025; to benefit millions of Aadhaar Number Holders. This free service is available only on #myAadhaar portal. UIDAl has been encouraging people to keep documents updated in their #Aadhaar. pic.twitter.com/wUc5zc73kh
— Aadhaar (@UIDAI) December 14, 2024