ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଆଇନ-ବ୍ୟବସ୍ଥା କରିବାରେ ଅସଫଳ ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲ ଏକ ମ୍ୟାପ ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଏହା ଦେଖାଇବାକୁ ଚେଷ୍ଟା କରାଯାଇଛି ଯେ; ଅମିତ ଶାହଙ୍କ ଆବାସର କିଛି କିମି ମଧ୍ୟରେ ଗତ କିଛିଦିନରେ ଅନେକ ଅପରାଧିକ ଘଟଣାମାନ ଘଟିଛି ।
କେଜ୍ରିୱାଲ କହିଛନ୍ତି ଯେ, ଆଜି ଏହି ପ୍ରେସ କନଫ୍ରେନ୍ସରେ ବହୁତ ମନ ଦୁଃଖ କରିବାକୁ ପଡୁଛି । ଦିଲ୍ଲୀରେ ଆଇନ-ବ୍ୟବସ୍ଥା ଭୁଶୁଡି ଗଲାଣି । ମୁମ୍ବାଇ ଭଳି ଗ୍ୟାଙ୍ଗୱାର ଦେଖାଦେଲାଣି । ଆଜି ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ । ତିନି ମାସରେ ଧମୁନା ପାରରେ ହିଁ ଗ୍ୟାଙ୍ଗୱାରରେ ୨୦ ଲୋକଙ୍କ ପ୍ରାଣହାନି ଘଟିଛି । ୧୦ ବର୍ଷ ପୂର୍ବେ ମୋତେ ଏକ ଦାୟିତ୍ୱ ମିଳିଥିଲା, ସ୍କୁଲ, ବିଜୁଳି , ସ୍ୱାସ୍ଥ୍ୟ, ପାଣି, ଏସବୁ ମୁଁ ଠିକ କରିଛି । ପାଣିର ଅବସ୍ଥା ସୁଧୁରିଛି । ହେଲେ ଦିଲ୍ଲୀରେ ସୁରକ୍ଷାର ଦାୟିତ୍ୱ କେନ୍ଦ୍ରର ଅଟେ ।