ମୋଦୀଙ୍କ ସହିତ ବୈଠକରେ ଯୋଗଦେବେ ମୁଫ୍ତି ଓ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସମସ୍ତ ରା୍ଜନୈତିକ ଦଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକକୁ ନେଇ ଦେଖା ଦେଇଥିବା ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ମଙ୍ଗଳବାର ଗୁପକାର ଚୁକ୍ତିନାମାରେ ସାମିଲ ଥିବା ସମସ୍ତ ରାଜନୈତିକ ଦଳ ମୋଦୀଙ୍କ ସହିତ ବୈଠକରେ ଯୋଗ ଦେବା ପାଇଁ ରାଜି ହୋଇଛନ୍ତି । ମଙ୍ଗଳବାର ନ୍ୟାସନାଲ କନଫରେନ୍ସର ବରିଷ୍ଠ ନେତା ଫାରୁକ୍ ଅବଦୁଲ୍ଲାଙ୍କ ଘରେ ବୈଠକ ପରେ ଗୁୁପକାର ମେଣ୍ଟର ସମସ୍ତ ଦଳ ବୈଠକରେ ଯୋଗ ଦେବା ନେଇ ସମ୍ମତି ପ୍ରକାଶ କରିଥିବା ଜଣାପଡିଛି । ଫଳରେ ଉଭୟ ଫାରୁକ୍ ଅବଦୁଲ୍ଲା ଏବଂ ପୂର୍ବତନ ଜମ୍ମୁ କାଶ୍ମୀର ମୁ୍ଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତି ଏହି ବୈଠକରେ ଯୋଗ ଦେବା ସ୍ପଷ୍ଟ ହୋଇଛି । ଗୁରୁବାର ଜୁନ୍ ୨୪ ତାରିଖରେ ହେବାକୁ ଥିବା ଏହି ବୈଠକରେ କେଉଇଁ ପ୍ରସଙ୍ଗରେ ଆଲୋଚନା ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେବେ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହିତ ପୁନର୍ବାର ସୀମା ନିର୍ଦ୍ଧାରଣ ପାଇଁ ବିପକ୍ଷ ଦାବି କରିବା ନେଇ ଅନୁମାନ କରାଯାଉଛି ।

ଜୁୁନ୍ ୨୪ରେ ହେବାକୁ ଥିବା ଏହି ବୈଠକରେ ଜମ୍ମୁ କଶ୍ମୀରର ପ୍ରାୟ ୧୪ ନେତା ଯୋଗ ଦେବେ ବୋଲି ଜଣାପଡିଛି । ଏହି ନେତାଙ୍କ ମଧ୍ୟରେ ଅବଦୁଲ୍ଳା ଓ ମୁଫ୍ତିଙ୍କ ସମେତ ଅନ୍ୟତମ ଗୁପକାର ନେତା ମହମ୍ମଦ ତାରିଗାମୀ ରହିଥିବା ଜଣାପଡ଼ିଛି । ସରକାରଙ୍କ ଦ୍ୱାରା ଅନୁଷ୍ଠିତ ବୈଠକରେ ଆମେ ଆମର ମତ ରଖିପାରିବା ନେଇ ଆଶା କରୁଛୁ ବୋଲି ଗୁପକାର ମେଣ୍ଟର ନେତାଙ୍କ ସହିତ ସର୍ବଦଳୀୟ ବୈଠକ ପରେ ମତ ପ୍ରକାଶ କରିଛନ୍ତି ଅବଦୁଲ୍ଲା । ଗୁପକାର ମେଣ୍ଟ ଧାରା ୩୭୦ରେ ଉଚ୍ଛେଦକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ ବୋଲି ଆଶା କରାଯାଉଛି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଅନୁଚ୍ଛେଦ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ କୌଣସି ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ସହିତ ଜମ୍ମୁ କଶ୍ମୀର ବିଧାନସଭାକୁ ଭଙ୍ଗା ଯାଇ ଦୁଇଟି ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଥିଲା ।