fbpx

ACC ପକ୍ଷରୁ ବଡ଼ ଘୋଷଣା: ଏସିଆ କପ ୨୦୨୫ ଭାରତ ଆୟୋଜନ କରିବ, ପାକିସ୍ତାନକୁ ଝଟକା

ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଆୟୋଜନକୁ ନେଇ ଆସିଛି ଏକ ବଡ଼ ନିଷ୍ପତ୍ତି । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରିବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଭାରତ ପାକିସ୍ତାନ ଗସ୍ତ କରିବା ନ କରିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏପରିକି ଭାରତ ପାକିସ୍ତାନକୁ ନଯାଇ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଖେଳିପାରେ ବୋଲି ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ଏହା ମଧ୍ୟରେ ପାକିସ୍ତାନକୁ ଲାଗିଛି ଏକ ବଡ଼ ଝଟକା । ଭାରତର ଏସିଆ କପ ୨୦୨୫ର ଆୟୋଜନ କରିବା ନେଇ ଏସୀୟ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ଘୋଷଣା କରାଯାଇଛି ।

ଏଥିସହିତ ୨୦୨୪ରୁ ୨୦୦୭ ପର୍ଯ୍ୟନ୍ତ ଏସିସି ପ୍ରାୟୋଜକ ଅଧିକାର ପାଇଁ ବିଭିନ୍ନ କମ୍ପାନୀକୁ ସେମାନଙ୍କ ଇନଭିଟେସନ ଫର ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ (ଆଇଇଓଆଇ) ଦାଖଲ କରିବାକୁ ନିମନ୍ତ୍ରଣ କରାଯାଇଛି । ୨୦୨୩ ପୁରୁଷ ଏସିଆ କପ୍ ହାଇବ୍ରିଡ ମଡେଲ ଅନୁସାରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ତେବେ ୨୦୨୭ ସଂସ୍କରଣ ବାଂଲାଦେଶରେ ଆୟୋଜନ ହେବ ଓ ଏହା ଦିନିକିଆ ଫର୍ମାଟରେ ଖେଳାଯିବ ।

ତେବେ ୧୯୯୦-୯୧ରେ ଭାରତ ଏସିଆ କପ ଆୟୋଜନ କରିଥିବା ବେଳେ ଦୀର୍ଘ ୩୫ ବର୍ଷ ପରେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏସିଆ କପ୍ ୨୦୨୫ ଟି-୨୦ ଫର୍ମାଟରେ ଖେଳାଯିବ ବୋଲି କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହେଲେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିପାରେ । ଏପରି ସ୍ଥିତିରେ ଭାରତ ଆସିବାକୁ ପାକିସ୍ତାନ ମନା କରିପାରେ । ତେଣୁ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି । ଏସିସି ଦ୍ୱାରା ଜାରି ଟେଣ୍ଡର ଡକ୍ୟୁମେଣ୍ଟ ମୁତାବକ, ଆଗାମୀ ଦିନରେ ଦୁଇ ପୁରୁଷ ଏସିଆ କପ୍ (ଭାରତ ଟି-୨୦ ଓ ବାଂଲାଦେଶ ଦିନିକିଆ)ରେ ୧୩-୧୩ଟି ମ୍ୟାଚ ଖେଳାଯିବ । ଦୁଇ ସିଜିନରେ ୬-୬ଟି ଲେଖାଏଁ ଟିମ୍ ସାମିଲ ହେବେ । ୫ଟି ଟିମ୍ ମଧ୍ୟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଥିବା ବେଳେ ୬ଷ୍ଠ ଟିମ୍ କ୍ୱାଲିଫାଇଙ୍ଗ ରାଉଣ୍ଡରେ ନିର୍ଦ୍ଧାରଣ କରାଯିବ ।

Get real time updates directly on you device, subscribe now.