fbpx

ଫିଟୁଛି ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଗୁମର, ସ୍ତ୍ରୀଙ୍କ ଥିଲା ପରକୀୟା ପ୍ରୀତି!

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲୁଛି। ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ଚଳାଇଛି ତନାଘନା । ପ୍ରଥମେ ତାଙ୍କ ରୋଷେୟା କହିଥିଲେ ଚିତ୍କାର ଶୁଣି ଦୌଡ଼ି ଯାଇଥିଲି ଉଦ୍ଧାର କରିବାକୁ । ଆଉକିଛି ବିଷୟରେ ଜାଣିନି । ସେହିପରି ସୌମ୍ୟଙ୍କ ପତ୍ନୀ ମଧ୍ୟ ମୁହଁ ଖୋଲିବା ସହ ତାଙ୍କ ବିରୋଧରେ ଉଠୁଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । କହିଥିଲେ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ହେଉ । ଅନ୍ୟପକ୍ଷରେ ସୌମ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ଭାଇ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହା ପଛରେ ପରକୀୟ ପ୍ରୀତି ରହିଥିବା ସେ କହିଛନ୍ତି । ଡିଏଫଓଙ୍କ ସହ ତାଙ୍କ ଭାଉଜଙ୍କ ଅନୈତିକ ସମ୍ପର୍କ ରହିଥିବା ସେ ପ୍ରକାଶ କରିଛନ୍ତି । ସେ ଯାହାହେଉ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ କ୍ରମେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ରୋଷେୟା ମନ୍ମଥ କୁମ୍ଭ ଓ ଡିଏଫଓ ସଂଗ୍ରାମ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇସାରିଛି ।

ଆମ୍ବୁଲାନ୍ସ ଅଟକିଥିଲା କାହିଁକି?

ସୋମବାର ରାତି ପ୍ରାୟ ୯ଟା । ସରକାରୀ କ୍ୱାର୍ଟର୍ସରେ ରହୁଥିବା ସୌମ୍ୟଙ୍କ ଶରୀରରେ ହଠାତ୍ ନିଆଁ ଲାଗିଯାଇଥିବା ଧରାପଡ଼ିଥିଲା । ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ଏ ସମ୍ପର୍କରେ ପଡ଼ୋଶୀଙ୍କୁ ଖବର ଦେଇଥିଲେ ଏବଂ ତୁରନ୍ତ ସୌମ୍ୟଙ୍କୁ ମେଡିକାଲ୍ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍ କରାଯାଇଥିଲା । କିନ୍ତୁ ଠିକ୍ ସମୟରେ ଆମ୍ବୁଲାନ୍ସ ଆସିନପାରିବାରୁ ଅଫିସ୍ ଗାଡ଼ିରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲ୍ ନିଆଯାଇଥିଲା । ତେବେ ଆମ୍ବୁଲାନ୍ସ ଭିତରେ ସୌମ୍ୟ ଜୀବନ ସହ ସଂଘର୍ଷ କରୁଥିବାବେଳେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ୍ ନେବା ବଦଳରେ ରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ପାରଳାଖେମୁଣ୍ଡି ଫରେଷ୍ଟଗେଟ ଛକ ନିକଟରେ କାହିଁକି ଘଣ୍ଟାଏ ଧରି ଆମ୍ବୁଲାନ୍ସ ଅଟକି ରହିଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି? କିନ୍ତୁ ବନ ବିଭାଗ କି ପୋଲିସ୍ ଏସମ୍ପର୍କରେ କେହି କିଛି କହୁନାହାନ୍ତି ।

ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ପୋଲିସ୍ ଓ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଏନେଇ ଖୋଳତାଡ଼ ଚଳାଇଛନ୍ତି। ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ପାଇଁ ଚେଷ୍ଟା ଚାଲିଛି । ଦୁର୍ଘଟଣା ଘଟିବା ପୂର୍ବରୁ ଘରର ସ୍ଥିତି କିଭଳି ରହିଥିଲା? ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା କେମିତି? ସେତିକିବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ଆଦି ସମସ୍ତ ବିଷୟକୁ ନେଇ ଯାଞ୍ଚ ଟିମ୍ ତନାଘନା ଆରମ୍ଭ କରିଛି ।

Get real time updates directly on you device, subscribe now.