fbpx
BJD SKY
BJD SKY

ଭାରତ ହାତରେ ଆଉ ଏକ ସ୍ୱର୍ଣ୍ଣ ପଦକ: ଭାରୋତ୍ତଳନରେ ଗୌରବ ଆଣିଲେ ଅଚିନ୍ତା ଶୁଲୀ

BJD

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଟୁର୍ଣ୍ଣାମଣ୍ଟେରେ ଦେଶକୁ ସ୍ୱର୍ଣ୍ଣ ଜିତାଇଛନ୍ତି ଆଉ ଜଣେ ସୁପରଷ୍ଟାର । ମୀରାବାଇ ଚାନୁ ଏବଂ ଜେରେମୀଙ୍କ ପରେ ଅଚିନ୍ତା ଶୁଲି ଭାରତ ପାଇଁ ଆଣିଛନ୍ତି ଗୌରବ । ଭାରୋତ୍ତଳନର ୭୩ କିଲୋ ବର୍ଗରେ ଅଚିନ୍ତା ଶୁଲି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

କମନୱେଲଥ ଗେମ ୨୦୨୨ରେ ଏବେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ଦେଶକୁ ଗୋଟିଏ ପରେ ଗୋଟିଏ ପଦକ ଜିତାଇବାରେ ସଫଳ ହେଉଛନ୍ତି କ୍ରୀଡାବିତ୍ । ଭାରତୀୟ ଯୁବ ୱେଟଲିଫ୍ଟର ଅଚିନ୍ତା ଶୁଲି ଏହି ଗେମରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ପୁରୁଷଙ୍କ ୭୩ କିଲୋ ଭାରବର୍ଗରେ ଗୋଲ୍ଡ ମେଡାଲ ଜିତିଛନ୍ତି । ଏହା ଚଳିତବର୍ଷ ଭାରତ ପାଇଁ ତୃତୀୟ ଗୋଲ୍ଡ ମେଡାଲ । ପଶ୍ଚିମବଙ୍ଗର ଅଚିନ୍ତା ଶୁଲି ସ୍ନାଚରେ ୧୪୩ କିଲୋ ଓଜନ ଉଠାଇ କମନୱେଲଥ ଗେମରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେହିପରି କ୍ଲିନ ଏଣ୍ଡ ଜର୍କରେ ୧୭୦ କିଲୋ ଉଠାଇ ମୋଟ ୩୧୩ କିଲୋ ଓଜନ ଉଠାଇଛନ୍ତି ଶୁଲି । ଏଥିସହିତ କମନୱେଲଥ ଗେମ୍ସର ନୂଆ ରେକର୍ଡ ଏବଂ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି ।

ତେବେ ଶୁଲିଙ୍କ ପଛକୁ ମାଲେସିଆର ଇ ହିଦାୟତ ୩୦୩ କିଲୋ ଉଠାଇ ଦ୍ୱିତୀୟ ସ୍ଥାନରେ ଅଧିକାର କରିଛନ୍ତି । ଫଳରେ ସେ ରୌପ୍ୟ ପଦକ ହାସଲ କରିଥିବା ବେଳେ କାନାଡାର ସାଦ୍ ଡାରାସିଗନୀ ୨୯୮ କିଲୋ ଉଠାଇ ବ୍ରୋଞ୍ଜ ପଦକ ପାଇଛନ୍ତି । ଅଚିନ୍ତା ଶୁଲୀଙ୍କ ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି । ଏଥିମଧ୍ୟରୁ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ତେବେ ଦୁଇଟ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ଭାରତ ନାମରେ ରହିଛି ।

Get real time updates directly on you device, subscribe now.