fbpx

ଜନତାଙ୍କ ମାମଲା ପଞ୍ଜିକରଣ କରିବେ ପୋଲିସ ଅଧିକାରୀ: ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ, ଡିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ଅନେକ ସମୟରେ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ସାଧାରଣ ନାଗରିକଙ୍କୁ ଅଣଦେଖା କରାଯିବା ସହ ସେମାନଙ୍କର ମାମଲା ପଞ୍ଜିକରଣ କରାଯାଇ ନଥାଏ । ତେବେ ଏଭଳି ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଏନେଇ ନେଇ ପୋଲିସ ମହାନିର୍ଦ୍ଦେଶକ (ଡିଜ)ଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସାଧାରଣ ଭାବେ କୌଣସି ସମସ୍ୟା ଉପୁଜିଲେ ତା’ର ସମାଧାନ ପାଇଁ ଲୋକମାନେ ଥାନାର ଦ୍ୱାରସ୍ଥ ହୋଇଥାନ୍ତି । ମାତ୍ର ଏ କ୍ଷେତ୍ରରେ ଯଦି ପୋଲିସ ମାମଲା ପଞ୍ଜିକରଣ ନକରେ, ତେବେ ସେ କ୍ଷେତ୍ରରେ ନିୟମାବଳୀର ଉଲ୍ଲଂଘନ ହୋଇଥାଏ । ତେଣୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ‘ଲଳିତା କୁମାରୀ ବନାମ ୟୁପି ସରକାର’ ରାୟର ନିୟମାବଳୀକୁ ରାଜ୍ୟର ପ୍ରତ୍ୟେକ ଥାନାରେ ପ୍ରଦର୍ଶନ କରାଯିବ । ସ୍ଥାନୀୟ ଓ ଇଂରାଜୀ ଭାଷାରେ ଏହି ନିୟମାବଳୀ ପ୍ରଦର୍ଶିତ ହେବା ନେଇ ଡିଜି ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜଣେ ଆବେଦନକାରୀଙ୍କ ଏତଲାକୁ ପାଟକୁରା ଥାନାରେ ପଞ୍ଜିକରଣ କରାଯାଇ ନଥିଲା । ତେଣୁ ଏହା ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୨୧ ତାରିଖ ସୁଦ୍ଧା ଏହି ମାମଲାର ସତ୍ୟପାଠ ଦାଖଲ ନେଇ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ପରବର୍ତ୍ତୀ ଶୁଣାଣି ୨୨ ତାରିଖରେ କରାଯିବ ।

Get real time updates directly on you device, subscribe now.