fbpx

ବିଜେପିରେ ମିଶିଲେ ଅଭିନେତା ଆକାଶ ଦାସନାୟକ

ଓଡ଼ିଶା ଭାସ୍କର: ବିଜେପିରେ ମିଶିଲେ ଅଭିନେତା ଆକାଶ ଦାସନାୟକ। ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ଆଜି ସେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ଆକାଶ ସହ ତାଙ୍କ ସମର୍ଥକମାନେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମସ୍ତେ ଦଳରେ ଯୋଗ ଦେଇଛନ୍ତି। ତେବେ ଏହି ମିଶ୍ରଣ ପର୍ବରେ ଅଭିନେତା ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଯୋଗ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଥାଉକି, ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସନାୟକ ଇସ୍ତଫା ଦେଇଥିଲେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପ୍ରଦାନ କରିଥିଲେ। ତେବେ୨୦୧୪ରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରୁ ଆକାଶ ବିଜେଡି ଟିକେଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ବିଜେଡିରୁ ଟିକେଟ ମିଳିନଥିଲା। ଆକାଶଙ୍କ ସ୍ଥାନରେ କୋରେଇର ବର୍ତ୍ତମାନ ବିଧାୟକ ଅଶୋକ ବଳଙ୍କୁ ଟିକେଟ ଦେଇଥିଲା ବିଜେଡି। ଏହାପରେ ବିଜେଡିର ‘ମୋ କଲେଜ’ ଅଭିଯାନରେ ଆକାଶ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଉଥିଲେ। ହେଲେ ହଠାତ ଗତକାଲି ଆକାଶ ବିଜେଡିରୁ ଇସ୍ତଫା ଦେଇ ଆଜି ବିଜେପିରେ ସାମିଲ ହୋଇଛନ୍ତି।

ତେବେ ବିଜେପିରେ ଯୋଗଦେବା ପରେ ଆକାଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ବିଜେପିରେ ସାମିଲ୍‌ ହୋଇଛି। କୋରେଇ ପାଇଁ ବହୁତ କାମ କରିଛି। ଅନେକ କାମ ବାକି ରହିଛି। ମାଆ, ମାଟି ଓ ସ୍ୱାଭିମାନ ପାଇଁ ଗୋଟିଏ ବୃହତ୍ତର ସଂଗ୍ରାମ ପାଇଁ ଆମେ ସମସ୍ତେ ଆଜି ଆସିଛେ। ଆମେ ସମସ୍ତେ ଜଣେ ଜଣେ ସୈନିକ ଭାବେ ଏ ସଂଗ୍ରାମ ଜାରି ରଖିବା। ମୁଁ ଆତ୍ମ ସମ୍ମାନକୁ ଦଳିଦେବା ଅପେକ୍ଷା ଓଡ଼ିଶାର ଅସ୍ମିତାର ଲଢ଼େଇ ପାଇଁ ବିଜେପିରେ ସାମିଲ ହୋଇଛି ବୋଲି ଆକାଶ କହିଛନ୍ତି।

Get real time updates directly on you device, subscribe now.