fbpx

ଖୁବଶୀଘ୍ର ପ୍ରକାଶ ପାଇବ ବର୍ଷାଙ୍କ ନୂଆ ବହି ‘ଅନ୍ତଃସ୍ୱର-ଅନେକ ଅକୁହା କଥା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଥିବା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ଏକ ନୂଆ ଖବର । ନିଜର ମନର କଥାକୁ ବହି ମାଧ୍ୟମରେ ଲୋକଲୋଚନକୁ ଆଣିବେ ବର୍ଷା । ନିଜର କିଛି ଅକୁହା, ଅଙ୍ଗେନିଭା କଥାକୁ ସେ ବହିରେ ଲେଖିବେ । ତାଙ୍କର ବହିର ନାଁ ରହିଛି ‘ଅନ୍ତଃସ୍ୱର-ଅନେକ ଅନେକ କଥା’ ।

ତେବେ ନିଜର ବହି ପ୍ରକାଶ ପାଇବା ସମ୍ପର୍କରେ ନିଜେ ବର୍ଷା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରତ୍ୟେକ ମଣିଷ ଜୀବନରେ କିଛି ଦୁଃଖ ରହିଛି । କିଛି ଦୁଃଖ ନିଜର ଆତ୍ମୀୟସ୍ୱଜନଙ୍କ ଆଗରେ କହିହୁଏ ତ ଆଉ କିଛି ହୃଦୟର କୋଣରେ ଲୁଚି ଯାଏ । ସେହିଭଳି ବର୍ଷାଙ୍କ ଜୀବନରେ ମଧ୍ୟ କିଛି ଅକୁହା କଥା ରହିଛି । ସେହି କାହାଣୀ ସବୁକୁ ବହି ମାଧ୍ୟମରେ ପ୍ରକାଶ କରିବାକୁ ଯାଉଛନ୍ତି ବର୍ଷା ।

ଗତ ୨୦୨୦ ମସିହା ଅଗଷ୍ଟ ୭ ତାରିଖରେ ବର୍ଷା ତାଙ୍କ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ନିର୍ଯାତନା ନେଇ ମାମଲା ଦାୟର କରିଥିଲେ । ଏହା ପରଠାରୁ ଦୁହିଁଙ୍କ ପକ୍ଷରୁ ଏକାଧିକ କେସ ଦାୟର ହୋଇଥିବା ବେଳେ ଦୁହିଁଙ୍କୁ ନେଇ ଅନେକ ସମୟରେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି ହୋଇଛି । ପୂର୍ବରୁ କୋର୍ଟ ଦୁହିଁଙ୍କୁ ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟରେ ବର୍ଷା ମାସକ ମଧ୍ୟରେ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ଭଡ଼ାରେ ରହିବା ସ୍ପଷ୍ଟ ହୋଇଛି ।
ତେବେ କ’ଣ ରହିଛି ବର୍ଷାଙ୍କ ମନରେ । କ’ଣ ସେ କହିବେ ତାଙ୍କର ଅଗଣିତ ଫ୍ୟାନଙ୍କୁ । କେବେ ପ୍ରକାଶ ପାଇବ ତାଙ୍କର ନୂଆ ବହି । କେବେ ଓଡ଼ିଶାବାସୀ ପଢ଼ିବେ ତାଙ୍କର ମନର ଅକୁହା କଥାସବୁ । ବର୍ଷାଙ୍କ ଟ୍ୱିଟ ପରେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ବର୍ଷାଙ୍କ ପ୍ରଶଂସକଙ୍କ ମହଲରେ ।

Get real time updates directly on you device, subscribe now.