fbpx

ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଗୌତମୀ: ୨୫ ବର୍ଷ ଧରି ଦଳର ସଦସ୍ୟ ରହିଥିଲେ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତାମିଲନାଡ଼ୁର ଜଣାଶୁଣା ଅଭିନେତ୍ରୀ ଗୌତମୀ ତାଡ଼ିମଲ୍ଲା ବିଜେପିରୁ ଇସ୍ତଫା ଦେଇଛନ୍ତି । ଏନେଇ ଗୌତମୀ ଏକ ବୟାନ ଜାରି କରିବା ସହିତ ଦଳ ଛାଡ଼ିବାର କାରଣ ବିଷୟରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ୨୫ ବର୍ଷ ଧରି ସେ ବିଜେପିର ସଦସ୍ୟ ରହିଥିଲେ ଓ ଦଳରେ ଜଣେ ସଚ୍ଚୋଟ କର୍ମୀ ଭାବେ କାର୍ଯ୍ୟ କରିଥିଲେ । ଏନେଇ ଗୌତମୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଏନେଇ ଗୌତମୀ ଲେଖିଛନ୍ତି, ୨୦ ବର୍ଷ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ସହିତ ମୋର ବନ୍ଧୁତା ହୋଇଥିଲା । ତେଣୁ ମୁଁ ତାଙ୍କୁ ମୋର ସମ୍ପତ୍ତିର ପରିଚାଳନା ଦାୟିତ୍ୱ ଦେଇଥିଲି । ଏଥିସହିତ ମୁଁ ତାଙ୍କୁ ମୋର ଜମି ବିକ୍ରି କରିବାର ଦାୟିତ୍ୱ ମଧ୍ୟ ଦେଇଥିଲି । ମାତ୍ର ସେ ମୋତେ ଓ ମୋ ଝିଅକୁ ପରିବାର କହି ଧୋକ୍କାବାଜି କରିଥିବା ଜଣାପଡ଼ିଛି । ଏନେଇ ଦୀର୍ଘ ସମୟ ଧରି ଆଇନଗତ ପ୍ରକ୍ରିୟା ଚାଲିଥିଲେ ହେଁ ଦଳର କିଛି ବରିଷ୍ଠ ସଦସ୍ୟ ଉକ୍ତ ବ୍ୟକ୍ତିଙ୍କୁ ସହଯୋଗ କରୁଥିବା ଜଣାପଡ଼ିଥିଲା । ଏହା ଜାଣିବା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲି ।

ବିଜେପିର କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ସହଯୋଗ କରୁଥିବା ବେଳେ ସେ ୪୦ ଦିନ ଧରି ଫେରାର ରହିଛନ୍ତି । ଏବେ ବି ମୋର ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପୋଲିସ ବିଭାଗ ଓ ନ୍ୟାୟିକ ବ୍ୟବସ୍ଥା ମୋତେ ନ୍ୟାୟ ପ୍ରଦାନ କରିବେ । ବହୁତ ଦୁଃଖ ଓ ଯନ୍ତ୍ରଣାର ସହିତ ମୁଁ ବିଜେପିରୁ ନିଜର ଇସ୍ତଫା ପ୍ରଦାନ କରିଛି । ଜଣେ ସିଙ୍ଗଲ ପ୍ୟାରେଣ୍ଟ ଭାବେ ନିଜକୁ ଓ ନିଜ ଝିଅକୁ ନ୍ୟାୟ ପ୍ରଦାନ ପାଇଁ ମୁଁ ଲଢ଼େଇ ଜାରି ରଖିଛି ।

Get real time updates directly on you device, subscribe now.