ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, କଂଗ୍ରେସ ପାଇଁ ସଙ୍କଟ ସେହି ଅନୁପାତରେ ବଢ଼ିବାରେ ଲାଗିଛି । ନିକଟରେ କିଛି ବରିଷ୍ଠ ନେତା କଂଗ୍ରେସର ହାତ ଛାଡ଼ିଥିବା ବେଳେ ପୁଣି କିଛି ଛାଡ଼ିବା ନେଇ ଚର୍ଚ୍ଚା ହେଉଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ତାଙ୍କ ପୁଅ ସାଂସଦ ନକୁଲନାଥ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ନେଇ ଚାରିଆଡ଼େ ଜୋରସୋରରେ ଆଲୋଚନା ହେଉଥିଲା । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧି କମଲନାଥଙ୍କ ସହ ଆଲୋଚନା କରିବା ପରେ ସେ ନିଜ ନିଷ୍ପତ୍ତି ବଦଳାଇଥିବା କୁହାଯାଇଥିଲା ।
ତେବେ ଏହା ମଧ୍ୟରେ କଂଗ୍ରେସର ଆଉ ଜଣେ ତୁଙ୍ଗନେତାଙ୍କୁ ନେଇ ଆସିଛି ଏକ ବଡ଼ ଖବର । କଂଗ୍ରେସ ହରାଇପାରେ ପୁଣି ଏକ ବଡ଼ ୱିକେଟ । ‘ଇଣ୍ଡିଆ’ ମେଣ୍ଟରେ ଆସନ ବଣ୍ଟନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ମଧ୍ୟରେ ଅନ୍ତିମ ପର୍ଯ୍ୟାୟ କଥାବାର୍ତ୍ତା ଚାଲିଛି । ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଅସନ୍ତୋଷ ଥିବା କୁହାଯାଉଛି । କଂଗ୍ରେସ-ଟିଏମସି ଏକାଠି ମିଶି ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଟିଏମସି ସହ ମେଣ୍ଟ କଲେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଅଧୀର ହାଇକମାଣ୍ଡଙ୍କୁ ସିଧାସିଧା ଧମକ ଦେଇଛନ୍ତି । ଅଧୀର ଏବେ ହାଇକମାଣ୍ଡଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ।
ତେବେ ଦଳ ଛାଡ଼ିବା କ୍ଷେତ୍ରରେ ଅଧୀର ପ୍ରଥମ ନେତା ନୁହନ୍ତି । ନିକଟରେ ବହୁ ନେତା ଦଳ ତ୍ୟାଗ କରିସାରିଛନ୍ତି । ନିକଟରେ ରାଜସ୍ଥାନର ୪ ଥରର ବିଧାୟକ ମହେନ୍ଦ୍ରଜିତ ସିଂହ ମାଲବୀୟ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଡିସେମ୍ବର ମାସରେ ଗୁଜରାଟ କଂଗ୍ରେସ ବିଧାୟକ ଚିରାଗ ପଟେଲ ଇସ୍ତଫା ଦେଇଥିଲେ । ବିଭିନ୍ନ ରାଜ୍ୟର ବହୁ ବିଧାୟକ ଓ ପୂର୍ବତନ ବିଧାୟକ ମଧ୍ୟ ହାତ ଛାଡ଼ିଥିଲେ । ସେହିପରି କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା ।