fbpx

ବଟଲର ବାହିନୀକୁ ଚକମା ଦେଲା ଆଫଗାନୀ ‘ତ୍ରିଶକ୍ତି’: ୬୯ ରନରେ ଇଂଲଣ୍ଡ ଉପରେ ବିଶାଳ ବିଜୟ

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନର ସ୍ପିନ ଆଟାକକୁ ସାମ୍ନା କରିବାରେ ବିଫଳ ହୋଇଛି ବିଶ୍ୱ ଚମ୍ପିଆନ । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ କମାଲ କରି ଇଂଲଣ୍ଡକୁ ଚକମା ଦେଇଛି ଆଫଗାନିସ୍ତାନ । ଷ୍ଟାର ବ୍ୟାଟର ହ୍ୟାରୀ ବ୍ରୁକଙ୍କ ବ୍ୟତୀତ ଇଂଲଣ୍ଡର ଅନ୍ୟ କୌଣସି ବ୍ୟାଟର ଆଫଗାନୀ ବୋଲରଙ୍କ ସାମ୍ନା କରିପାରିନାହାନ୍ତି । ବିଶେଷ କରି ଆଫଗାନିସ୍ତାନର ସ୍ପିନରେ ତ୍ରିଶକ୍ତି ପାଲଟିଛନ୍ତି ମୁଜୀବ ଉର ରହମାନ, ମହମ୍ମଦ ନବୀ ଏବଂ ରାସିଦ ଖାନ୍ । ଏହି ୩ ସ୍ପିନରଙ୍କ ଦମଦାର ବୋଲିଂରେ ଇଂଲଣ୍ଡ ଉପରେ ଏକ ବିରାଟ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଏହି ବିଜୟ ସହ ବିଶ୍ୱକପର ପ୍ରଥମ ବିଜୟ ହାସଲ କରିଛି ଶାହିଦୀ ସେନା ।

ଆଫଗାନିସ୍ତାନର ୨୮୫ ରନ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୨୧୫ରେ ଅଲଆଉଟ ହୋଇଛି ବିଶ୍ୱ ବିଜେତା ଇଂଲଣ୍ଡ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୬୯ ରନର ଏକ ବିଶାଳ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଇଂଲଣ୍ଡ ଭଳି ଏକ ଶକ୍ତିଶାଳୀ ଦଳକୁ ପରାଜୟର ସ୍ୱାଦ ଚଖାଇଛି ଆଫଗାନିସ୍ତାନର ସ୍ପିନ ତ୍ରିଶକ୍ତି । ଦଳର ଷ୍ଟାର ସ୍ପିନର ମୁଜୀବ ଉର ରହମାନ ଏବଂ ରାସିଦ ଖାନ ୩ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ମହମ୍ମଦ ନାବୀ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଏହାବ୍ୟତୀତ ଫାଷ୍ଟ ବୋଲର ଫଜଲହକ୍ ଫାରୁକୀ ଏବଂ ନବୀନ ଉଲ୍ ହକ୍ ଗୋଟିଏ ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଏହି ବିଶାଳ ବିଜୟ ସହ ପଏଣ୍ଟ ଟେବୁଲରେ ଆଫଗାନିସ୍ତାନ ଦଶମ ସ୍ଥାନରୁ ସିଧାସଳଖ ଷଷ୍ଠ ସ୍ଥାନରେ ପହଞ୍ଚିଛି ।

ସେପଟେ ଇଂଲଣ୍ଡ ପକ୍ଷରୁ ହ୍ୟାରୀ ବ୍ରୁକଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ଆଫଗାନୀ ବୋଲରଙ୍କ ସାମ୍ନାରେ ନିରସ୍ତ୍ର ପାଲଟିଛନ୍ତି । ବ୍ରୁକ ଏହି ମ୍ୟାଚରେ ଏକାକୀ ଲଢେଇ କରି ୬୬ ରନର ଇନିଂସ କେଳିଛନ୍ତି । ଏହାବ୍ୟତୀତ ଡାଭିଡ ମଲାନ ୩୨ ରନର ପାଳି ଖେଳିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨୦ ରନ୍ ଅତିକ୍ରମ କରିପାରି ନାହାନ୍ତି । ତେବେ ଇଂଲଣ୍ଡର ଏହି ପରାଜୟକୁ ବିଶ୍ୱକପର ବଡ଼ ବିପର୍ଯ୍ୟୟ ବୋଲି କୁହାଯାଇଛି । ୬୯ ରନରେ ଏହି ମ୍ୟାଚରେ ବିଜୟ ହାସଲ କରିଛି ଆଫଗାନିସ୍ତାନ ।

Get real time updates directly on you device, subscribe now.