ବିନାଶର ଟ୍ରେଲର! ବିଶ୍ୱର ପ୍ରଥମ; ମିଳିବନି ବୁନ୍ଦାଏ ପାଣି, ଶୋଷରେ ଛଟପଟ ହେବ ଏହି ସହର
2030 ସୁଦ୍ଧା ଏହି ସହର ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇପାରେ। ଯାହାକି ବିଶ୍ୱର ପ୍ରଥମ ସହର ହେବ ।
ଆଫଗାନିସ୍ତାନ: 2030 ସୁଦ୍ଧା ଆଫଗାନିସ୍ତାନ ରାଜଧାନୀ କାବୁଲ, ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇପାରେ। ରିପୋର୍ଟ ଅନୁଯାୟୀ, ଗତ 10 ବର୍ଷ ମଧ୍ୟରେ ଭୂତଳ ଜଳ 30 ମିଟର ହ୍ରାସ ପାଇଛି ଏବଂ ଅଧାରୁ ଅଧିକ ବୋରୱେଲ ଶୁଖିଯାଇଛି। ଜଳବାୟୁ ପରିବର୍ତ୍ତନ, ପ୍ରଶାସନିକ ବିଫଳତା ଏବଂ ଅନାବଶ୍ୟକ ଜଳ ବ୍ୟବହାର ଏହି ସଙ୍କଟର ପ୍ରମୁଖ କାରଣ ବୋଲି କୁହାଯାଉଛି।
ଏକଦା ଆଫଗାନିସ୍ତାନର ଆତ୍ମା କୁହାଯାଉଥିବା କାବୁଲ, ଆଜି ଏହାର ଅସ୍ତିତ୍ୱ ହରାଇବାକୁ ଯାଉଛି । ହିନ୍ଦୁକୁଶ ପାହାଡ଼ ମଧ୍ୟରେ ଅବସ୍ଥିତ ଏହି ଐତିହାସିକ ସହର କେବଳ ଆଫଗାନିସ୍ତାନର ରାଜଧାନୀ ଭାବରେ ନୁହେଁ, ବରଂ ଏକ ସାଂସ୍କୃତିକ ଏବଂ ଆର୍ଥିକ କେନ୍ଦ୍ର ଭାବରେ ମଧ୍ୟ ଜଣାଶୁଣା। କିନ୍ତୁ ବର୍ତ୍ତମାନ ଏହି କାବୁଲ ବିଶ୍ୱର ପ୍ରଥମ ବଡ଼ ସହର ହେବାକୁ ଯାଉଛି ଯେଉଁଠାରେ 2030 ସୁଦ୍ଧା ପାଣି ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇପାରେ। ଏହି ଚେତାବନୀ ନନପ୍ରଫ୍ଟି ମର୍ସି କର୍ପସର ରିପୋର୍ଟରେ ଦିଆଯାଇଛି।
ଜଳ ସଙ୍କଟ ପଛରେ କ’ଣ କାରଣ ଅଛି?
ବର୍ଷ ବର୍ଷ ଧରି ଚାଲିଥିବା ସଂଘର୍ଷ କାବୁଲରେ ଆଧୁନିକ ଜଳ ପ୍ରଣାଳୀରେ ନିବେଶକୁ ବାଧା ଦେଇଛି। ଫଳସ୍ୱରୂପ, ଭୂତଳ ଜଳ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ଯାହା ବାକି ଅଛି ତାହା ମଧ୍ୟ ବିଷାକ୍ତ ହୋଇଯାଇଛି। ୟୁନିସେଫ୍ ରିପୋର୍ଟ ଅନୁଯାୟୀ, କାବୁଲର ଅଧାରୁ ଅଧିକ ବୋରୱେଲ ଶୁଖିଗଲାଣି ଏବଂ ପ୍ରାୟ 80 ପ୍ରତିଶତ ଭୂତଳ ଜଳ ଦୂଷିତ ହୋଇଗଲାଣି। ଯଦି ଏହି ପରିସ୍ଥିତି ଜାରି ରହେ, ତେବେ 2030 ସୁଦ୍ଧା ଏଠାରେ ଭୂତଳ ଜଳ ଉତ୍ସଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ।
1-ଜଳବାୟୁ ପରିବର୍ତ୍ତନର ପ୍ରଭାବ:
ଜଳ ସଙ୍କଟର ସବୁଠାରୁ ବଡ଼ କାରଣ ହେଉଛି ପରିବର୍ତ୍ତିତ ପାଣିପାଗ ଚକ୍ର। ଗତ କିଛି ବର୍ଷ ଧରି, ଆଫଗାନିସ୍ତାନରେ ତୁଷାରପାତ ହ୍ରାସ ପାଉଛି, ସମୟ ପୂର୍ବରୁ ବରଫ ତରଳି ଯାଉଛି ଏବଂ ମରୁଡ଼ି ବାରମ୍ବାର ଘଟୁଛି। 2023 ରେ, ସ୍ୱାଭାବିକ ତୁଳନାରେ 40-50% କମ୍ ବର୍ଷା ହୋଇଥିଲା, ଯାହା ଯୋଗୁଁ ଭୂତଳ ଜଳ ସ୍ତର ହ୍ରାସ ପାଉଛି ।
୨. ପ୍ରଶାସନିକ ବିଫଳତା:
ଜଳ ପରିଚାଳନା, ପାଇପଲାଇନ ମରାମତି ଏବଂ ବର୍ଷାଜଳ ସଂଗ୍ରହଣ ଭଳି ମୌଳିକ କାର୍ଯ୍ୟକୁ ନିରନ୍ତର ଅଣଦେଖା କରାଯାଇଥିଲା। ସରକାରଙ୍କ ବିଫଳତା ଜଳ ସଙ୍କଟକୁ ଆହୁରି ଖରାପ କରିଛି। ପଞ୍ଜଶିର ନଦୀରୁ ପାଣି ଆଣିବା ପାଇଁ ୧୭୦ ମିଲିୟନ ଡଲାରର ପ୍ରକଳ୍ପ ବର୍ଷ ବର୍ଷ ଧରି କାଗଜପତ୍ରରେ ଅଟକି ରହିଛି।
୩. ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟା:
୨୦୦୧ ମସିହାରେ କାବୁଲର ଜନସଂଖ୍ୟା ୧୦ ଲକ୍ଷ ଥିଲା ବେଳେ ଏବେ ଏହା ୬୦ ଲକ୍ଷ ଅତିକ୍ରମ କରିଛି। ଯୁଦ୍ଧ, ଆଭ୍ୟନ୍ତରୀଣ ବିସ୍ଥାପନ ଏବଂ ଅସ୍ଥିର ଶାସନ ଯୋଗୁଁ ଲକ୍ଷ ଲକ୍ଷ ଲୋକ କାବୁଲରେ ବସବାସ କଲେ। ପରିଣାମ ସ୍ୱରୂପ ସୀମିତ ଜଳ ସମ୍ପଦ ଉପରେ ଭାରୀ ବୋଝ ପଡ଼ିଲା।
ଏହି ସମସ୍ୟା ପାଇଁ କିଏ ଦାୟୀ ?
କାବୁଲରେ ୫୦୦ ରୁ ଅଧିକ ବୋତଲବନ୍ଦ ପାଣି ଏବଂ ସଫ୍ଟ ଡ୍ରିଙ୍କ କମ୍ପାନୀ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ଭୂତଳ ଜଳକୁ ନିର୍ବିଚାର ଭାବରେ ଶୋଷଣ କରୁଛନ୍ତି। ବିଶେଷକରି ଉତ୍ତର, ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ପ୍ରଦେଶଗୁଡ଼ିକରେ ମରୁଡ଼ି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଫସଲ ନଷ୍ଟ ହେଉଛି । ଖାଦ୍ୟ ଏବଂ କୃଷି ସଂଗଠନ (FAO) ଅନୁଯାୟୀ, କୃଷି ଏବଂ ପଶୁପାଳନ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ବିପଦରେ ପଡ଼ିଛି।
ଆଶାର କିରଣ କ’ଣ?
ପଞ୍ଜଶିର ନଦୀରୁ କାବୁଲକୁ ପାଣି ଆଣିବାର ଯୋଜନା ନିଶ୍ଚିତ ଭାବରେ ଆଶାର କିରଣ। ଏହାର ଡିଜାଇନ୍ 2024 ଶେଷ ସୁଦ୍ଧା ପ୍ରସ୍ତୁତ ହୋଇସାରିଛି ଏବଂ ସରକାର ଏଥିପାଇଁ ନିବେଶକ ଖୋଜୁଛନ୍ତି। ଯଦି ଏହାକୁ ସମୟ ମଧ୍ୟରେ ଅନୁମୋଦନ ଏବଂ ପାଣ୍ଠି ମିଳେ, ତେବେ ପ୍ରାୟ 20 ଲକ୍ଷ ଲୋକ ସ୍ୱଚ୍ଛ ପାଣି ପାଇପାରିବେ।