fbpx

ଘାତକ ବୋଲରଙ୍କ ସହ ଭାରତ ଆସିବ ଆଫଗାନି ଟିମ୍: ଜାଦ୍ରାନଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଦ୍ୱିପାକ୍ଷିକ ଟି-୨୦ ସିରିଜ । ଏହି ସିରିଜକୁ ନେଇ ବର୍ତ୍ତମାନ କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା ଲାଗି ରହିଛି । ଦୀର୍ଘ ଦିନରୁ ଟି-୨୦ ଫର୍ମାଟରୁ ଦୂରେଇ ରହିଥିବା ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ତେବେ ଏହା ମଧ୍ୟରେ ଆଫଗାନିସ୍ତାନ ଭାରତ ବିପକ୍ଷ ଏହି ସିରିଜ ପାଇଁ ଦଳ ଘୋଷଣା କରିସାରିଛି । ବର୍ତ୍ତମାନ ଭାରତୀୟ ଦଳ ଉପରେ ରହିଛି ସମସ୍ତଙ୍କ ନଜର ।

ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପାଇଁ ଆଫଗାନିସ୍ତାନ ନିଜ ଦଳ ଘୋଷଣା କରିଛି । ଦିନିକିଆ ବିଶ୍ୱକପରେ ଶତକ ହାସଲ କରିଥିବା ଷ୍ଟାର ବ୍ୟାଟର ଇବ୍ରାହିମ ଜାଦ୍ରାନଙ୍କୁ ଏହି ଦଳର ନେତୃତ୍ୱ ପଦ ମିଳିଥିବା ବେଳେ ଷ୍ଟାର ବୋଲର ରାଶିଦ ଖାନ୍ ଏହି ସିରିଜରେ ଦଳକୁ କମବ୍ୟାକ କରୁଛନ୍ତି । ୟୁଏଇ ବିପକ୍ଷ ଟି-୨୦ ସିରିଜ ପାଇଁ ରାଶିଦଙ୍କୁ ବିଶ୍ରାମ ଦେଇଥିଲା ଆଫଗାନିସ୍ତାନ । କିନ୍ତୁ ଭାରତ ବିପକ୍ଷ ସିରିଜ ପାଇଁ ସେ ପୁଣିଥରେ ଦଳ ସହ ସାମିଲ ହେବାକୁ ଯାଉଛନ୍ତି । ଆସନ୍ତା ୧୧ ତାରିଖରୁ ହେବାକୁ ଥିବା ଏହି ସିରିଜ ପାଇଁ ଭାରତ ବର୍ତ୍ତମାନ ସୁଦ୍ଧା ଦଳ ଘୋଷଣା କରିନାହିଁ ।

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତବର୍ଷରୁ ଟି-୨୦ ଖେଳୁ ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଫର୍ମାଟରେ ନେତୃତ୍ୱ ନେଉଥିଲେ । କିନ୍ତୁ ଦିନିକିଆ ବିଶ୍ୱକପରେ ଆହତ ହୋଇ ସେ ଦଳରୁ ବାଦ୍ ପଡ଼ିଛନ୍ତି । ଏହାପରେ ଉପ-ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ଦୁଇଟି ସିରିଜ ପାଇଁ ନେତୃତ୍ୱ ପ୍ରଦାନ କରିଥିଲା ବୋର୍ଡ । ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଆଫଗାନିସ୍ତାନ ବିପକ୍ଷରେ କେଉଁ ଖେଳାଳିଙ୍କୁ ଦଳ ନେତୃତ୍ୱ ପ୍ରଦାନ କରିବ, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ରୋହିତ ଏହି ସିରିଜରେ କମବ୍ୟାକ କରି ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଆଫଗାନିସ୍ତାନ ଦଳ: ଇବ୍ରାହିମ ଜାଦ୍ରାନ(ଅଧିନାୟକ), ରହମାନୁଲ୍ଲାହ ଗୁରବାଜ, ଏକରାମ ଅଲୀ, ହଜରତୁଲ୍ଲାହ ଜାଜଇ, ରହମତ ଶାହ, ନଜୀବୁଲ୍ଲାହ ଜାଦରାନ, ମହମ୍ମଦ ନବୀ, କରୀମ ଜନତ, ଅଜମତୁଲ୍ଲାହ ଉମରଜାଇ, ଶରାଫୁଦ୍ଦୀନ ଅଶରଫ, ମୁଜୀବ ଉର ରହମାନ, ଫଜଲ ହକ ଫାରୁଖୀ, ଫରୀଦ ଅହମ୍ମଦ, ନବୀନ ଉଲ ହକ୍, ନୂର ଅହମଦ, ମହମ୍ମଦ ସଲୀମ, କେସ୍ ଅହମଦ, ଗୁଲବଦୀନ ନେବ, ରାଶିଦ ଖାନ୍

Get real time updates directly on you device, subscribe now.