ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସ୍ଥାନ

ଆପଣ ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିଜ ଅଭିଯୋଗ ନେଇ ଆସିଛନ୍ତି, ତାହାଲେ ଜାଣି ରଖନ୍ତୁ କେଉଁଠାରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର:  ଆଜି ହେଉଛି ସୋମବାର। ଆଉ ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହେଲେ ଏଥିରେ କିଛିଟା ପରିବର୍ତ୍ତନ ହୋଇଛି। ତାହା ପୁଣି ଦୀର୍ଘ ୩୦ ବର୍ଷ ପରେ।

ହଁ ଦୀର୍ଘ ୩୦ ବର୍ଷ ପରେ ବଦଳିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ। ପୂର୍ବରୁ ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଆଜିଠାରୁ ଆଉ ସେଠାରେ ଅଭିଯୋଗ ଶୁଣିବେ ନାହିଁ ମୁଖ୍ୟମନ୍ତ୍ରୀ।

ତେବେ ଆପଣମାନେ ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିଜ ଅଭିଯୋଗ ନେଇ ଯାଇଛନ୍ତି, ତାହାଲେ ଜାଣିରଖନ୍ତୁ ଭୁବନେଶ୍ୱରର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଉ ଅଭିଯୋଗ ଶୁଣାଯାଇନାହିଁ।

ବରଂ ଆଜିଠୁ ୟୁନିଟଚ-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲୋକଙ୍କ ଅଭିଯୋଗ,ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ। କାରଣ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୧ ହଜାର ଲୋକ ଏଥିପାଇଁ ଆଗୁଆ ପଞ୍ଜୀକରଣ କରିଛନ୍ତି।

ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ଥିରୀକୃତ ହୋଇଥିବା କ୍ୱାଟର୍ସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହୁନଥିବାରୁ ଅଭିଯୋଗ ପ୍ରକୋଷ୍ଠକୁ ନେଇ କୌଣସି ସମସ୍ୟା ହୋଇନଥିଲା।

ଏପରିକି ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହାର ନବୀକରଣ କରାଯାଇଥିଲା। କିନ୍ତୁ ଏବେ ତାହାର ଠିକଣା ବଦଳିଛି।