fbpx

ଏୟାରଷ୍ଟ୍ରାଇକ ପରେ ଘବରାଇଲା ପାକିସ୍ତାନ: ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ଫୋନ୍ କରି କହିଲା ‘ଆମେ ଦୁଇ ଦେଶ ମିଶି ଏକାଠି କାମ କରିବା’

ନୂଆଦିଲ୍ଲୀ: ଇରାନ ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଏୟାରଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ମଧ୍ୟ ଚୁପ୍ ବସିନଥିଲା । ଇରାନର ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀ ସଂଗଠନ ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିଲା । ତେବେ ଏହାପରେ ଏହି ଦୁଇ ଇସଲାମିକ ରାଷ୍ଟ୍ର ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ବିଶ୍ୱରେ ପୁଣି ଥରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଥିଲା ।

ତେବେ ଏହା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ମନୋଭାବ ନରମ ପଡ଼ିଥିବା ଦେଖାଯାଇଛି । ଇରାନ ସହ ବିଭିନ୍ନ ପ୍ରସଙ୍ଗରେ ମିଶି କାମ କରିବାକୁ ପାକିସ୍ତାନ ଇଚ୍ଛା ପ୍ରକଟ କରିଛି । ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଜଲୀଲ ଅବାଶ ଜିଲାନୀ ଇରାନୀ ବୈଦେଶିକ ମନ୍ତ୍ରୀ ହୁସେନ ଅମୀର ଅମଦୁଲ୍ଲହିୟାନଙ୍କୁ ଫୋନ୍ କରିଥିବା ଜଣାପଡ଼ିଛି । ପାରସ୍ପରିକ ବିଶ୍ୱାସ ଓ ସୁରକ୍ଷା ସହଯୋଗ ଆଧାରରେ ଇରାନ ସହ ସବୁ ପ୍ରସଙ୍ଗରେ କାମ କରିବାକୁ ପାକିସ୍ତାନ ଇଚ୍ଛା ଜାହିର କରିଛି । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।

ଏହି ବାର୍ତ୍ତାଳାପ ସମୟରେ ଇରାନ ବୈଦେଶିକ ମନ୍ତ୍ରୀ କହିଥିଲେ, ଆମର ମିସାଇଲ ଓ ଡ୍ରୋନ ଆକ୍ରମଣରେ କୌଣସି ପାକିସ୍ତାନୀ ନାଗରିକଙ୍କୁ ଟାର୍ଗେଟ୍ କରାଯାଇ ନଥିଲା । ପାକିସ୍ତାନରେ ଜୈଶ ଅଲ-ଅଦଲ ନାମକ ଏକ ଇରାନୀ ଆତଙ୍କୀ ସଂଗଠନ ରହିଛି । ସେହି ଆତଙ୍କୀମାନେ ପାକିସ୍ତାନର ସିସ୍ତାନ-ବଲୁଚିସ୍ତାନ ଅଞ୍ଚଳରେ ଲୁଚି ରହିଛନ୍ତି । ଏହି ଆତଙ୍କବାଦୀମାନେ ଇରାନର କିଛି ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ । ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଇରାନ ପକ୍ଷରୁ ପାକିସ୍ତାନ ମାଟିରେ କେବଳ ଇରାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଆମେ ପାକିସ୍ତାନର ବହୁତ ସମ୍ମାନ କରୁ । ଏହି ଅବସରରେ ଇରାନ ବୈଦେଶିକ ମନ୍ତ୍ରୀ କିଛି ପାକିସ୍ତାନୀ ଅଧିକାରୀଙ୍କୁ ସହ ଆଲୋଚନା କରିଥିଲେ ।

Get real time updates directly on you device, subscribe now.