fbpx

ବ୍ଲାକ୍ ଫଙ୍ଗସ୍ ପରେ କରୋନାର ନୂଆ ରୂପ ‘ବୋନ୍ ଡେଥ୍’: ୩ ଜଣଙ୍କଠାରେ ଚିହ୍ନଟ ପରେ ଭୟଭୀତ ହେଲେଣି ଡାକ୍ତର

ନୂଆଦିଲ୍ଲୀ: ଦେଶରେ ବ୍ଲାକ ଫଙ୍ଗସକୁ ନେଇ ଆଶଙ୍କା କମି ନଥିବା ବେଳେ ଏନେଇ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ସାମନାକୁ ଆସିଛି । ମୁମ୍ବାଇର ଏକ ହସ୍ପିଟାଲରେ ଆଭାସ୍କୁଲାର ନେକ୍ରୋସିସ୍ (ଏଭିଏନ) ବା ବୋନ୍ ଡେଥରେ ୩ ଜଣ ସଂକ୍ରମିତ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି । କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ରୋଗୀ ଶରୀରର ହାଡ଼ରେ ଥିବା ଟିସୁଗୁଡ଼ିକର ମୃତ୍ୟୁ ଘଟୁଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ୪୦ ବର୍ଷରୁ କମ୍ ବୟସର ୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ରୋଗୀମାନେ ଦୁଇମାସ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିଲେ । ତେବେ ରୋଗୀମାନଙ୍କର ଜଂଘରେ ଥିବା ଶରୀରର ବଡ଼ ହାଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ବୋନ୍ ଡେଥ୍ ହେଉଛି କୋଭିଡ-୧୯ର ଅନ୍ୟ ଏକ ଅଂଶ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ଅଗରୱାଲ ରିସର୍ଚ୍ଚ କରିବା ପରେ କହିଛନ୍ତି । ଏ ବିଷୟରେ ବହୁଳ ପ୍ରସାରିତ ହେଉଥିବା ଏକ ଡାକ୍ତରୀ ପତ୍ରିକା ‘ବିଏମଜେ କେସ୍ ଷ୍ଟଡିଜ୍’ରେ ସବିଶେଷ ତଥ୍ୟ ପ୍ରକାଶିତ ହୋଇଛି ।

ତେବେ ବର୍ତ୍ତମାନ କୋଇମ୍ବାଟୁରର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୬୪ ଜଣ ରୋଗୀଙ୍କ ମଧ୍ୟରୁ ୩୦ ଜଣ ସେମାନଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇଛନ୍ତି । ବ୍ଲାକ ଫଙ୍ଗସ୍ ଚିକିତ୍ସା ପାଇଁ ବିଭିନ୍ନ ରାଜ୍ୟକୁ ୨ ଲକ୍ଷ ୧୨ ହଜାର ୫୪୦ ଭାଏଲ୍ ଆମ୍ଫୋଟେରିସିନ୍-ବି ପଠାଯାଇଥିବା କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ନିକଟରେ ସୂଚନା ଦେଇଥିଲେ । ବର୍ତ୍ତମାନ ସମଗ୍ର ଦେଶରେ ମୋଟ ୧୦ ଲକ୍ଷ ଆମ୍ଫୋଟେରିସିନ-ବି ବିତରଣ କରାଯାଇଛି । ବ୍ଲାକ ଫଙ୍ଗସ୍ ପ୍ରଭାବରେ ଆଖି, ନାକ ସହ ମସ୍ତିଷ୍କ ସଂକ୍ରମଣକୁ ଏହି ମେଡିସିନ୍ ଦ୍ୱାରା ଦୂର କରାଯାଇପାରିବ ବୋଲି କୁହାଯାଇଛି । ଦେଶର ଡାକ୍ତରମାନେ ବର୍ତ୍ତମାନ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ମଧ୍ୟରେ ମାଇକୋର ମାଇକୋସିସର ଅବସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.