ପାଣିପାଗ ବିଭାଗ ପକ୍ଷରୁ ପୁଣି ଚେତାବନୀ: ବାତ୍ୟା ପରେ ଏବେ ସମୁଦ୍ରରେ ମାଡ଼ି ଆସିବ ବଡ଼ ଜୁଆର, ପୁଣି ବଢ଼ିଲା ଟେନସନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାତି ୧୨ଟା ସମୟରେ ରାଜ୍ୟର ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁଥିଲା । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିମି ରହିଥିଲା । ତେବେ ଏହା ମଧ୍ୟରେ ବାତ୍ୟାର ପ୍ରଭାବ ହ୍ରାସ ପାଇଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ବଡ଼ ସମସ୍ୟା ।

ସୂଚନା ମୁତାବକ, ବାତ୍ୟା ପରେ ଏବେ ସମୁଦ୍ର ପାଣି ମାଡ଼ି ଆସିବ । ସମୁଦ୍ରରେ ବଡ଼ ଜୁଆର ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଓ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଉଚ୍ଚ ଜୁଆରକୁ ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ପାଖାପାଖି ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଜୁଆର ଉଠିବ । ସେହି ସମୟରେ ଭଦ୍ରକ ଓ ବାଲେଶ୍ୱରର ତଳିଆ ଅଞ୍ଚଳରେ ସମୁଦ୍ର ପାଣି ପଶିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ୦.୫ ମିଟର ଉଚ୍ଚର ଜୁଆର ଉଠିବା ନେଇ ଚେତାବନୀ ଜାରି ହୋଇଛି ।