fbpx

ନୌସେନା ପରେ ଭାରତୀୟ ବାୟୁସେନା ବି ବଦଳାଇଲା ଏହାର ଧ୍ୱଜ, ଜାଣନ୍ତୁ କାହିଁକି ହେଲା ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପ୍ରମୁଖ ଏୟାର ଚିଫ୍ ମାର୍ଶଲ ଭି.ଆର୍‌.ଚୌଧରୀ ରବିବାର ପ୍ରୟାଗରାଜରେ ବାୟୁସେନାର ବାର୍ଷିକ ପ୍ୟାରେଡ୍ ଦିବସରେ ଏହାର ନୂଆ ଧ୍ୱଜର ଅନାବରଣ କରିଛନ୍ତି । ୭୨ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଏପରି ଅଭ୍ୟାସ କରାଯାଇଛି । ଏହାପୂର୍ବରୁ ନୌସେନା ପକ୍ଷରୁ ମଧ୍ୟ ଧ୍ୱଜକୁ ପରିବର୍ତ୍ତନ କରାଯାଇଛି । ବାୟୁସେନାର ନୂଆ ଧ୍ୱଜରେ ସବୁଠାରୁ ଉପର ଓ ଡାହାଣ କୋଣରେ ଭାରତୀୟ ବାୟୁସେନାର ଶିଖାକୁ ଦର୍ଶାଯାଇଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୮ ଅକ୍ଟୋବର ୧୯୩୨ରେ ଭାରତୀୟ ବାୟୁସେନା ଅଧିକାରୀକ ଭାବରେ ପ୍ରତିଷ୍ଠା କରାଯାଇଥିଲା । ଏହାର ଦକ୍ଷତା ଓ ଉପଲବ୍ଧିତାକୁ ଦେଖି ୧୯୪୫ରେ ଏହାକୁ ରୟାଲ ଶବ୍ଦରେ ସମ୍ମାନିତ କରାଯାଇଥିଲା । ଏହାପରେ ଏହା ରୟାଲ ଇଣ୍ଡିଆନ ଏୟାରଫୋର୍ସ ଭାବରେ ପରିଚିତ ହୋଇଥିଲା । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଏହାର ନାମ ପୂର୍ବରୁ ଲାଗିଥିବା ରୟାଲ ଉପସର୍ଗକୁ ହଟାଇ ଦିଆଯାଇଥିଲା । ଏବେ ଏହା ନିଜର ଧ୍ୱଜକୁ ବି ବଦଳାଇ ଦେଇଛି ।

ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି, ଭାରତୀୟ ବାୟୁସେନା ଏହାର ମୂଲ୍ୟକୁ ଉପଯୁକ୍ତ ଭାବରେ ପ୍ରତିବିମ୍ବିତ କରିବା ଲାଗି ଏକ ନୂଆ ଧ୍ୱଜ ପ୍ରସ୍ତୁତ କରିଛି । ଏହି ଧ୍ୱଜର ଉପର ଡାହାଣ କୋଣରେ ଫ୍ଲାଇ ସାଇଡ୍ ଓ ବାୟୁସେନା କ୍ରେଷ୍ଟକୁ ସାମିଲ କରାଯାଇଛି ।
ଭାରତୀୟ ବାୟୁସେନା ଶିଖାରେ ରାଷ୍ଟ୍ରୀୟ ଚିହ୍ନ ରହିଛି । ଶୀର୍ଷରେ ଅଶୋକ ସ୍ତମ୍ଭ ରହିଛି । ଏହା ତଳକୁ ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ଲେଖାଯାଇଛି । ଅଶୋକ ସ୍ତମ୍ଭ ତଳକୁ ଏକ ହିମାଳୟ ଛଞ୍ଚାଣ ପକ୍ଷ ମେଲାଇ ରହିଛି ଯାହା ଭାରତୀୟ ବାୟୁସେନାର ଲଢୁଆ ଗୁଣକୁ ଦର୍ଶାଉଛି ।

Get real time updates directly on you device, subscribe now.