ନୂଆଦିଲ୍ଲୀ: ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥରେ ଖେଳାଯିବ । ତେବେ ପ୍ରଥମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତକୁ ଲାଗିଛି ଦ୍ୱିତୀୟ ଝଟକା । ଏହା ପୂର୍ବରୁ ଜଣେ ଖେଳାଳି ଆହତ ଜନିତ କାରଣରୁ ବାଦ୍ ପଡ଼ିଥିବା ବେଳେ ପୁଣି ଜଣେ ଖେଳାଳି ସମଦଶା ଭୋଗିଛନ୍ତି । ଗିଲଙ୍କ ପରେ ଏବେ ଦ୍ରୁତ ବୋଲର ଖଲିଲ ଅହମ୍ମଦ ଆହତ ହୋଇଛନ୍ତି । ତେଣୁ ତାଙ୍କୁ ସ୍ୱଦେଶକୁ ପଠାଇ ଦିଆଯାଇଛି । ଖଲିଲ ଇଣ୍ଡିଆ-ଏ ସହିତ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ଏହାପରେ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଥିଲା । ମାତ୍ର ଚୋଟ କାରଣରୁ ସେ ନେଟ୍ସରେ ବୋଲିଂ କରିପାରି ନଥିଲେ ।
ଏପରି ସ୍ଥିତିରେ ଖଲିଲଙ୍କ ସ୍ଥାନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ୟଶ ଦୟାଲଙ୍କୁ ଟିମରେ ସାମିଲ କରାଯାଇଛି । ୟଶ ଭାରତୀୟ ଟି-୨୦ ଟିମ୍ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ । ମାତ୍ର ସେଠାରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ଏବେ ୟଶ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବା ବଦଳରେ ସିଧାସଳଖ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ଆଙ୍ଗୁଠିରେ ଚୋଟ ଲାଗିବା କାରଣରୁ ଶୁବମନ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିଲେ । ତାଙ୍କ ସ୍ଥାନରେ ଦେବଦତ୍ତ ପଡିକ୍କଲ ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି ।